ଖଣ୍ଡଗିରି: ଜଣେ ମହିଳାଙ୍କୁ ଜାଲ୍ ଜମି ବିକି ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ସୋମବାର ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ଏକ ର୍ୟାକେଟ୍ର ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ପୁରୀ ଜିଲ୍ଲା ନିମାପଡ଼ାର ଶଙ୍କର ବେହେରା(୫୦) ଓ ପବିତ୍ର ମଳିକ(୪୮)। ଅଭିଯୁକ୍ତ ଶଙ୍କର ଭଡ଼ାରେ ଆସି ନକଲି ଜମି ମାଲିକ ସାଜିଥିବାବେଳେ ପବିତ୍ର ମଧ୍ୟ ଭଡ଼ାରେ ନକଲି ସାକ୍ଷୀ ବା ଜମି ମାଲିକ ଚିହ୍ନଟକାରୀ ହୋଇଥିଲେ। ଏହି ଠକେଇର କାର୍ପଟ୍ଦାରମାନେ କିନ୍ତୁ ପୁଲିସ ଜାଲରେ ଧରାପଡ଼ିନାହାନ୍ତି। ର୍ୟାକେଟ୍ରେ ଜଣେ ଫଳ ବେପାରୀ ଓ ଅନ୍ୟ ଦୁଇ ଜଣ ଆଇନଜୀବୀ ବୋଲି ପରିଚୟ ଦେଇଥିବା ଠକ ଥିବା ସୂଚନା ମିଳିଛି। ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ ଡୁମୁଡୁମା ହାଉସିଂ ବୋର୍ଡ କଲୋନି ଫେଜ୍-୩ରେ ଏ ଆନନ୍ଦରାଓ ପାତ୍ର ଓ ତାଙ୍କ ସ୍ତ୍ରୀ ଏ ଦମୟନ୍ତୀ ପାତ୍ର ରହି ମୁଡ଼ୁକି ବ୍ୟବସାୟ କରନ୍ତି। ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରେ ବେପାର କରୁଥିବା ଜଣେ ଫଳ ବ୍ୟବସାୟୀଙ୍କ ସହ ସେମାନଙ୍କ ପରିଚୟ ଥିଲା। ରାଜଧାନୀ ଉପକଣ୍ଠ ବଡ଼ରଘୁନାଥପୁର ମୌଜାରେ ଓ ଇନ୍ଫୋସିଟି-୨କୁ ଲମ୍ବିଥିବା ୨୦୦ ଫୁଟିଆ ରାସ୍ତାରେ ଏକ ପ୍ଲଟ କିଣିବାକୁ ସେହି ଫଳ ବ୍ୟବସାୟୀ ଆନନ୍ଦଙ୍କୁ କହିଥିଲେ। ଭଲ ଦାମୀ ପ୍ଲଟଟି କମ୍ ଦାମ୍ରେ ମିଳୁଥିବା କହି ଫଳ ବେପାରୀ ଜଣଙ୍କ ଆନନ୍ଦ ଓ ଦମୟନ୍ତୀଙ୍କୁ ପ୍ରଲୋଭିତ କରିଥିଲେ। ଆର୍ଥିକ ସମସ୍ୟା କାରଣରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜମିକୁ ୧୫ ଲକ୍ଷ ଟଙ୍କାରେ ମାଲିକ ବିକିବାକୁ ବସିଛନ୍ତି ବୋଲି ସେ ବୁଝାଇଥିଲେ। କିନ୍ତୁ ପରେ ମୂଲଚାଲ ହୋଇ ଜମିର ମୂଲ୍ୟ ୧୧ ଲକ୍ଷ ଟଙ୍କା ଛିଡ଼ିଥିଲା। ରେକର୍ଡପତ୍ର ଯାଞ୍ଚ ସମୟରେ ଫଳ ବେପାରୀଙ୍କ ସହ ଦୁଇ ଜଣ ନିଜକୁ ଓକିଲ ବୋଲି ପରିଚୟ ଦେଇ ସେମାନଙ୍କୁ ଜମିର କାଗଜପତ୍ର ବାବଦରେ ବୁଝାଇଥିଲେ। ତେଣୁ ଆନନ୍ଦ ଓ ଦମୟନ୍ତୀ ବିଶ୍ୱାସ କରି ଯାଇଥିଲେ। ପ୍ରଥମେ ଅଗ୍ରୀମ ଆକାରରେ ୪.୨୦ ଲକ୍ଷ ଟଙ୍କା ଦିଆଯାଇଥିଲା ଓ ରେଜିଷ୍ଟ୍ରି କଲା ସମୟରେ ଅବଶିଷ୍ଟ ଟଙ୍କା ଦିଆଯିବ ବୋଲି ଧାର୍ଯ୍ୟ ହୋଇଥିଲା। ଗତ ଫେବ୍ରୁଆରି ୨୧ ତାରିଖରେ ଜଟଣୀ ସବ୍ ରେଜିଷ୍ଟ୍ରାରଙ୍କ ନିକଟରେ ଦଲିଲ୍ ପ୍ରସ୍ତୁତ କରାଯାଇ ରେଜିଷ୍ଟ୍ରି କରାଗଲା ଓ ଅବଶିଷ୍ଟ ୬.୮୦ ଲକ୍ଷ ଟଙ୍କା ଗଣି ଦେଇ ଆନନ୍ଦ ଟିକେଟ୍ ନେଇଥିଲେ। ଦୁଇ ଦିନ ପରେ ଦଲିଲ୍ ପାଇବା କଥା। ମାତ୍ର ପରଦିନ ଅର୍ଥାତ୍ ୨୨ ତାରିଖରେ ସବ୍ ରେଜିଷ୍ଟ୍ରାରଙ୍କ ନିକଟରେ ପହଞ୍ଚି ଯାଇଥିଲେ ପ୍ରକୃତ ଜମି ମାଲିକ କେନ୍ଦ୍ରାପଡ଼ାର ମଳୟ ଚନ୍ଦନ ପୋଥାଳ। ଜାଲିଆତି କରି କେହି ତାଙ୍କ ଜମି ବିକି ଦେଇଛି ବୋଲି ସେ ଅଭିଯୋଗ କଲେ। ତେଣୁ ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ଦମୟନ୍ତୀଙ୍କୁ ଯୋଗାଯୋଗ କରାଗଲା ଓ ତୁରନ୍ତ ଜମି ବିକିଥିବା ଲୋକଙ୍କୁ ନେଇ ଅଫିସ୍କୁ ଯିବା ପାଇଁ କୁହାଗଲା। ଦମୟନ୍ତୀ ଓ ଆନନ୍ଦ ଉକ୍ତ ଫଳ ବେପାରୀଙ୍କୁ ଏକଥା କହିବା ପରେ ସେ ସମସ୍ତଙ୍କୁ ଡାକୁଛନ୍ତି କହି ଅନ୍ତର୍ଧାନ ହୋଇଗଲେ ଓ ଆଉ ଧରାଛୁଅାଁ ଦେଲେ ନାହିଁ। ଫଳରେ ଦମୟନ୍ତୀ ଜାଣିଗଲେ ଯେ ସେ ଠକାମୀର ଶିକାର ହୋଇଛନ୍ତି। ତେଣୁ ସେ ତୁରନ୍ତ ଯାଁଳା ଫାଣ୍ଡିରେ ଅଭିଯୋଗ କଲେ। ପୁଲିସ ତଦନ୍ତ କରିବା ପରେ ରବିବାର ରାତିରେ ନିମାପଡ଼ାରେ ଚଢ଼ାଉ କରି ଶଙ୍କର ଓ ପବିତ୍ରକୁ ଉଠାଇଥିଲା। ତାଙ୍କୁ ଭଡ଼ାରେ ଆଣି ମଳୟ ଚନ୍ଦନ ପୋଥାଳଙ୍କ ନାମରେ ଠିଆ କରାଯାଇଥିଲା ବୋଲି ଶଙ୍କର ମାନି ଯାଇଥିଲା। ସେହିଭଳି ପବିତ୍ର ନକଲି ସାକ୍ଷୀଭାବେ ଅନୀଲ କୁମାର ମହାନ୍ତି ବୋଲି ଦସ୍ତଖତ କରିଥିବା ସ୍ୱୀକାର କରିଥିଲା। ଉକ୍ତ ଫଳ ବେପାରୀ ଓ ଓକିଲ ବୋଲି କହୁଥିବା ଅନ୍ୟ ଦୁଇ ଜଣ ଏହି ର୍ୟାକେଟ୍ର ମୁଖ୍ୟ କାର୍ପଟ୍ଦାର ବୋଲି ସେମାନେ ପୁଲିସକୁ ସୂଚନା ଦେଇଛନ୍ତି। ସେମାନଙ୍କୁ ମାତ୍ର ଅଳ୍ପ କେତେ ହଜାର ଟଙ୍କାରେ ଭଡ଼ାକୁ ଅଣାଯାଇଥିଲା ବୋଲି ସେମାନେ କହିଛନ୍ତି।