୨ ଲକ୍ଷ ଟଙ୍କା ଠକେଇ : ନକଲି ଶିକ୍ଷୟିତ୍ରୀ ଗିରଫ

ଭୁବନେଶ୍ବର/ଗରଦପୁର : କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ଜଣେ ନକଲି ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନ ଗରଦପୁରର ଅନ୍ନପୂର୍ଣ୍ଣା ଦାଶ(୪୦)। ଜାଲ୍‌ କାଗଜପତ୍ର ମାଧ୍ୟମରେ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଋଣ ନେଇ ଠକେଇ କରିଥିବା ଅଭିଯୋଗରେ କ୍ରାଇମ୍‌ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଆଜି ତାଙ୍କୁ କଟକସଦର କୋର୍ଟକୁ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହୋଇ ଯାଇଛି।

କ୍ରାଇମ୍‌ ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୧-୧୨ ମସିହାରେ କଟକ ବିଲହାଟ ଗ୍ରାମ୍ୟ ବ୍ୟାଙ୍କରୁ ୧୪୮ ଜଣ କେଜିବି ବ୍ୟକ୍ତିଗତ ଋଣ (ପର୍ସନାଲ ଲୋନ୍‌) ଭାବେ ୨.୯୬ କୋଟି ଟଙ୍କା ଉଠାଇ ଥିଲେ। ଋଣ ଗ୍ରହୀତାମାନେ ଜାଲ କାଗଜପତ୍ର ମାଧ୍ୟମରେ ଦର୍ଶାଇଥିଲେ କି ସେମାନେ ବିଭିନ୍ନ ୟୁପି/ଏମଇ/ ହାଇସ୍କୁଲରେ ଶିକ୍ଷକ/ଶିକ୍ଷୟିତ୍ରୀ ଅଛନ୍ତି। ପରବର୍ତୀ ସମୟରେ ସେମାନେ କେହି ଋଣ ସୁଝି ନ ଥିଲେ। ପରେ ଏ ନେଇ ଭୁବନେଶ୍ବର ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର୍‌ କ୍ରାଇମ ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତବେଳେ ଜଣାପଡ଼ିଥିଲା କି ଅନ୍ନପୂର୍ଣ୍ଣା ମଧ୍ୟ ଜାଲ କାଗଜପତ୍ର ମାଧ୍ୟମରେ ନିଜକୁ କେନ୍ଦ୍ରାପଡ଼ା ଜିଲ୍ଲା ବେହୁଲି ୟୁପି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ବୋଲି ବୋଲି ଦର୍ଶାଇଥିଲେ। ତେଣୁ ଆଜି କ୍ରାଇମ୍‌ ବ୍ରାଞ୍ଚ ତାଙ୍କ ଘରୁ ଗିରଫ କରିଥିଲା।

ସେହିପରି ଏହି ଠକେଇ ଘଟଣାରେ ୧୭ ଜଣ ବ୍ୟାଙ୍କ ମ୍ୟାନେଜର, ଫିଲ୍‌ଡ ଅଫିସର ଓ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ୭୪ ଜଣ ଜାଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଠକେଇ ଘଟଣାର ଏବେ ବି ତଦନ୍ତ ଜାରି ରହିଛି ବୋଲି କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର