ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ଯାଇଥିବା ମହିଳାଙ୍କ ପେଟରେ ଡାକ୍ତର ଛାଡ଼ିଥିଲେ ୫ଟି ଛୁଞ୍ଚି, ଅଭିଯୋଗ ପରେ ବାହାର କଲେ ୨ଟି

ବାରାଣାସୀ: ଡାକ୍ତରଙ୍କ ଅବହେଲା ନେଇ ବିଭିନ୍ନ ମାମଲା ସାମ୍ନାକୁ ଆସିଛି। ନିକଟରେ ବିଏଚୟୁର ଡାକ୍ତର ଜଣେ ମହିଳାଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁକରୁ ୫ଟି ଛୁଞ୍ଚି ପେଟରେ ଛାଡ଼ି ଦେଇଥିବା ଘଟଣା ସାମ୍ନାକୁ ଆସିଛି।

ଏଭଳି ଏକ ଘଟଣା କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସର ସୁନ୍ଦରଲାଲ ହସ୍‌ପିଟାଲରେ ଘଟିଛି। ଚନ୍ଦୋଲିରେ ରହୁଥିବା ରାଣୀ ଦ୍ୱିବେଦୀଙ୍କ ସ୍ୱାମୀ ବିକାଶ ଦ୍ୱିବେଦୀଙ୍କ କହିବାନୁସାରେ, ‘ମୋର ପତ୍ନୀଙ୍କ ଦୁଇଟି ସନ୍ତାନ ପ୍ରସବ ବିଏଚୟୁ ହସ୍‌ପିଟାଲରେ ହୋଇଥିଲା। ପ୍ରଥମ ସନ୍ତାନ ପ୍ରସବ ହେଲା ପରେ ପତ୍ନୀ ରାଣୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ମଧ୍ୟ ଏହି ହସ୍‌ପିଟାଲରେ କରାଯାଇଥିଲା। ଏହା ପରେ ଦ୍ୱିତୀୟ ସନ୍ତାନର ପ୍ରସବ ବି ଏଠାରେ ହୋଇଥିଲା। ଏହାପରେ ବିଏଚୟୁ ହସ୍‌ପିଟାଲରେ ୨୦୧୭ ଫେବ୍ରୁଆରି ୧୦ ତାରିଖରେ ପତ୍ନୀଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାରର କିଛି ଦିନ ପରେ ରାଣୀଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ହସ୍‌ପିଟାଲ ଆଣି ପ୍ରସୂତି ବିଭାଗ ମୁଖ୍ୟଙ୍କୁ ଦେଖାଇଥିଲି। ଏଥିରୁ ଜଣାପଡ଼ିଲା କି ଡାକ୍ତରଙ୍କ ଅବହେଳା ହେତୁ ରାଣୀଙ୍କ ପେଟରେ ୫ଟି ଛୁଞ୍ଚି ରହିଯାଇଥିଲା। ଏହାପରେ ଡାକ୍ତର ପତ୍ନୀଙ୍କ ପେଟରୁ ୨ଟି ଛୁଞ୍ଚି ବାହାର କରିଥିଲେ ଏବଂ କହିଲେ ଆମେ ୫ଟି ଛୁଞ୍ଚିକୁ ବାହାର କରି ଦେଉଛୁ। ଏହାପରେ ମୁଁ ଏହି ଘଟଣା ନେଇ ପୁଲିସରେ ଅଭିଯୋଗ କରିଥିଲି।’

ବିଏଚୟୁ ପିଆରଓ ରାଜେଶ ସିଂହଙ୍କ କହିବା ଅନୁସାରେ, ଯଦି ତାଙ୍କର କିଛି ଅସୁବିଧା ଅଛି ତେବେ ସେ ଆମ ପାଖକୁ ନଆସି ପୁଲିସ ଷ୍ଟେସନ୍‌ କାହିଁକି ଯାଉଛନ୍ତି। ରାଣୀଙ୍କ ସ୍ୱାମୀ ଡାକ୍ତରଙ୍କ ଉପରେ ଲଗାଇଥିବା ଅଭିଯୋଗକୁ ସିଂହ ଖଣ୍ଡନ କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ଯାଞ୍ଚ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ।

ସମ୍ବନ୍ଧିତ ଖବର