ଅଧ ରାତିରେ ସ୍ତ୍ରୀର ଚରିତ୍ର ଉପରେ ଲେଖି ଫେସ୍‌ବୁକ୍‌ରେ ପୋଷ୍ଟ କଲା ସ୍ୱାମୀ, ସକାଳୁ ମନ୍ଦିରରେ ମିଳିଲା ସ୍ୱାମୀଙ୍କ ଅର୍ଦ୍ଧଦଗ୍ଧ ଶରୀର

ପାଲି(ଯୋଧପୁର) : ଶୁକ୍ରବାର ଯୋଧପୁରର ପାଲିରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର ମିଳିଛି । ମୃତକ ଜଣକ ଜଓ୍ଵାଲି ଗ୍ରାମର ୩୨ବର୍ଷିୟ କେଶର ସିଂ ବୋଲି ଚିହ୍ନଟ କରାଯାଇଛି । କେଶର ନିଜ ପତ୍ନୀ ଓ ପିଲାମାନଙ୍କ ସହ ଶଶୁର ଘରେ ରହୁଥିବା ବେଳେ ଗୁରୁବାର ତାଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା । ଝଗଡ଼ା ହେବାରୁ ରାଗି ଯାଇ କେଶର ଶାଶୁ ଘରୁ ବାହାରି ପାଲିରେ ଥିବା ନିଜ ଘରୁ ଯାଉଛି ବୋଲି କହି ବାହାରି ଯାଇଥିଲେ । କିନ୍ତୁ ଶୁକ୍ରବାର ସକାଳୁ ଏକ ହନୁମାନ ମନ୍ଦିରରେ ତାଙ୍କ ଅର୍ଦ୍ଧଦଗ୍ଧ ମର ଶରୀର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଶବରୁ ଧୂଆଁ ବାହାରୁଥିବା ବେଳେ କେଶରଙ୍କ ଶରୀର ଶୋଇବା ଅବସ୍ଥାରେ ଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା କିପରି ଘଟିଲା ତାହା ଜାଣିବା ପାଇଁ କେଶରଙ୍କ ପକେଟରୁ ମିଳିଥିବା ଅର୍ଦ୍ଧଜଳା ମୋବାଇଲକୁ ନେଇ ସାଇବର ଏକ୍ସପର୍ଟ ତଦନ୍ତ ଚଳାଇଛନ୍ତି । ପ୍ରମାଣ ପାଇଁ ପରିବାର ଲୋକଙ୍କୁ କାହା ଉପରେ ସନ୍ଦେହ ଅଛି କି ନାହିଁ ପଚରା ଯାଇଥିବା ବେଳେ ସେ ଏ ନେଇ କାହା ଉପରେ ସନ୍ଦେହ କରୁ ନାହାନ୍ତି ବୋଲି କହିଛନ୍ତି ।

ଅନ୍ୟ ପକ୍ଷରେ କେଶରଙ୍କ ନାଁରେ ଫେସ୍‌ବୁକ୍‌ରେ କରାଯାଇଥିବା ପୋଷ୍ଟ ଏବେ ଏହି ଘଟଣାରେ ନୂଆ ମୋଡ଼ ଆଣିଛି । ଫେସ୍‌ବୁକ୍‌ରେ କରାଯାଇଥିବା ପୋଷ୍ଟରେ କେଶର ତାଙ୍କ ସ୍ତ୍ରୀକୁ ବିଶ୍ୱାସଘାତକ କହିବା ସହ ଶାଶୁ ଘର ଲୋକଙ୍କ ଉପରେ ମଧ୍ୟ ଅନେକ ଗମ୍ଭୀର ଅଭିଯୋଗ ଲଗାଇଥିବା ଦେଖିବାକୁ ମିଳିଛି । “ମୁଁ ମୋ ସ୍ତ୍ରୀଙ୍କୁ ଅନ୍ୟ ଜଣେ ପୁରୁଷ ସହ ଅସଞ୍ଜତ ଅବସ୍ଥାରେ ଦେଖିଥିଲି । ଏ ନେଇ ମୁଁ ମୋ ଶାଶୁ ଶଶୁରଙ୍କୁ ଜଣାଇବା ପରେ ସେ ମୋତେ ଯୌତୁକ ମାଗିବା ବାହାନାରେ ଗିରଫ କରାଇଦେବେ ବୋଲି ଧମକ ଦେଇଥିଲେ । ଏଥି ପାଇଁ ମୁଁ ଏବେ ଆତ୍ମହତ୍ୟା କରିବାକୁ ଯାଉଛି । ମୋ ଝିଅକୁ ମୋ ସ୍ତ୍ରୀ ପାଖରେ ରହିବାକୁ ଦେବନି । ସେଠାରେ ସେ ସୁରକ୍ଷିତ ନୁହଁ” ବୋଲି ଲେଖି ପୋଷ୍ଟ କରିଥିଲେ । ଫେସ୍‌ବୁକ୍‌ ଏହି ପୋଷ୍ଟ ଉପରେ ଏବେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଶରୀରକୁ ଦେଖି ଏହା ହତ୍ୟା ହୋଇପାରେ ବୋଲି ପୁଲିସ ସନ୍ଦେହ କରିଛି । ଏ ନେଇ ପୁଲିସ କେଶରଙ୍କ ସ୍ତ୍ରୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଅଟକାଇ ପଚରାଉଚରା କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର