ବିଦେଶ ଭ୍ରମଣ କରାଇ ଦେବା ନାଁରେ କୋଟିଏ ଚଳୁ

ଭୁବନେଶ୍ୱର : ବିଶ୍ୱର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲାଇ ଦେବାର ପ୍ରତିଶ୍ରୁତି ଦେଇ ପାଖାପାଖି କୋଟିଏ ଟଙ୍କାର ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାଁ ଦେବୀ ପ୍ରସାଦ ପାଣିଗ୍ରାହୀ। ନିଜ ଘର ବଲାଙ୍ଗୀର ଭଗବତୀ ମନ୍ଦିର ନିକଟ ତୁଳସୀନଗରରେ। ଏଠାରେ ସେ ବମିଖାଲରେ ଥିବା ଏକ ଆପାର୍ଟମେଣ୍ଟରେ ରହୁନ୍ତି। ସାରା ରାଜ୍ୟରେ ସେ ପାଖାପାଖି ଶତାଧିକ ଲୋକଙ୍କୁ ଏଭଳି ବିଦେଶ ଭ୍ରମଣ କରାଇ ଦେବା ନାଁରେ ଠକେଇ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ସହିଦନଗର ଥାନା ଅଧୀନ ବମିଖାଲ କେଶବ କଂପ୍ଲେକ୍ସରେ ରହିଛି ଆଇଓ୍ଵା ଟୁର୍‌ସ ଆଣ୍ଡ ଟ୍ରାଭେଲ୍ସ। ଏହି ସଂସ୍ଥା ମାଲେସିଆ, ସିଙ୍ଗାପୁର ଆଦି ପର୍ଯ୍ୟଟନସ୍ଥଳକୁ ବୁଲାଇବାକୁ ୭ ରାତି ଓ ୮ ଦିନର ଏକ ଟୁର୍‌ ପ୍ୟାକେଜ୍‌ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲା। ବିଜ୍ଞାପନ ଦେଖି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ରାଣୀପାଟଣା ଅଞ୍ଚଳର ଏଲ୍‌ଆଇସି ଡିଓ ସନାତନ ବେହେରା, କଟର ହାଇକୋର୍ଟ ଆଇନଜୀବୀ ଡାକ୍ତର ଗାୟତ୍ରୀ ଦେବୀଙ୍କ ଭଳି ଏକାଧିକ ବ୍ୟକ୍ତି ବିଶେଷ ବିଦେଶ ଭ୍ରମଣରେ ଯିବାକୁ ଆବେଦନ କରିଥିଲେ। ଏଥି ପାଇଁ ସନାତନ ସଂସ୍ଥା ନିକଟରେ ୧୨ରୁ ୧୬ ଲକ୍ଷ ଟଙ୍କା ଲେଖାଁଏ ବ୍ୟାଙ୍କ ଚେକ୍‌ ଜମା କରିଥିଲେ।

କିନ୍ତୁ ହଠାତ ୩ ମାସ ତଳେ ଅଭିଯୋଗକାରୀମାନେ ଭୁବନେଶ୍ୱରରେ ପହଞ୍ଚି ଦେଖିବାକୁ ପାଇଥିଲେ ସେହି ଟ୍ରାଭେଲ୍ସରେ ତାଲା ପଡ଼ିଥିଲା। ଆଉ ସେ ଦେଖିବାକୁ ପାଇଥିଲେ ତାଙ୍କ ଭଳି ଆହୁରି ୨୪ଟି ପରିବାର ଏଭଳି ସାମନ ଢଙ୍ଗରେ ଠକେଇର ଶିକାର ହୋଇଛନ୍ତି। ଏ ନେଇ ସହିଦନଗର ଥାନାରେ ସମସ୍ତେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା।

ପରେ ସହିଦନଗର ଥାନା ପୁଲିସ ବଲାଙ୍ଗୀରରେ ଚଢ଼ଉ କରି ଦେବୀ ପ୍ରସାଦଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର