ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକ : ଝୁଲି ରହିଲା ଛାତ୍ର ପ୍ରତିନିଧି ଚୟନ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ପ୍ରତିନିଧି ଚୟନକୁ ନେଇ ଆଜି ସିଣ୍ଡିକେଟ୍‌ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାଠାରୁ ଆରମ୍ଭ କରି ଛାତ୍ର ପ୍ରତିନିଧି ବାଛିବା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ନେଇଥିବା ନିଷ୍ପତ୍ତିକୁ ସିଣ୍ଡିକେଟ୍‌ର କେତେକ ସଦସ୍ୟ ବିରୋଧ କରିଥିଲେ। ଏହାକୁ ନେଇ କଥା କଟାକଟି ମଧ୍ୟ ହୋଇଥିଲା। ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୈଠକ ହୋଇଥିଲେ ମଧ୍ୟ ଛାତ୍ର ପ୍ରତିନିଧି ଚୟନ ହେବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ।

ସୂଚନାଯୋଗ୍ୟ ଯେ ଗତ ମାସରେ ଛାତ୍ର ପ୍ରତିନିଧି ଚୟନ କରିବାକୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ବିଜ୍ଞପ୍ତି ଜାରି କରିବା ପରେ ଏହାକୁ ନେଇ ୩ଟି ଛାତ୍ରଗୋଷ୍ଠୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦୁଇଟି ଛାତ୍ର ଗୋଷ୍ଠୀ ଏହାକୁ ବିରୋଧ କରୁଥିବା ବେଳେ ଗୋଟିଏ ଛାତ୍ର ଗୋଷ୍ଠୀ ଛାତ୍ର ପ୍ରତିନିଧି ଚୟନ କରିବା ଜିଦ୍‌ରେ ଅଡ଼ି ବସିଥିଲା। କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦିନ ଧରି ଧାରଣାରେ ବି ବସିଥିଲା। ଏହାପରେ କୁଳପତି ଏବଂ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ ଯେ ସିଣ୍ଡିକେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ହେବ। ଆଜି ସିଣ୍ଡିକେଟ୍‌ ବୈଠକ ବସିଥିଲେ ମଧ୍ୟ ଛାତ୍ର ପ୍ରତିନିଧି ଚୟନ ସମ୍ପର୍କରେ ନିଷ୍ପତ୍ତି ହୋଇ ନ ଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କିଛି କହିବାକୁ ମନା କରି ଦେଇଛନ୍ତି।

ଅନ୍ୟପକ୍ଷରେ ନଭେମ୍ବର ୨୭ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହେବ। ଏଥିରେ ରାଜ୍ୟପାଳ ତଥା କୁଳାଧିପତି ଏସ୍‌.ସି. ଜମିର ମୁଖ୍ୟଅତିଥି ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ବୀରେନ୍ଦ୍ର ସିଂ ଚୌହ୍ଵାନ ସମ୍ମାନିତ ଅତିଥିଭାବେ ଯୋଗଦେବେ। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ବଜେଟ୍‌କୁ ସିଣ୍ଡିକେଟ୍‌ ବୈଠକରେ ଅନୁମୋଦନ କରାଯାଇଛି। ଏଥିସହ ବିଶ୍ୱବିିଦ୍ୟାଳୟ ୭୫ ବର୍ଷ ପୂରଣ କରୁଥିବାରୁ ବର୍ଷ ସାରା ଉତ୍ସବ ପାଳନ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି। ଏକ ବର୍ଷ ଧରି ଚାଲିବାକୁ ଥିବା ଉତ୍ସବ ପାଳନ ପାଇଁ କିଭଳି ବ୍ୟବସ୍ଥା ହେବ ସେନେଇ ସଦସ୍ୟମାନେ ବିଭିନ୍ନ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। ପରୀକ୍ଷା ସମ୍ପର୍କିତ କେତେକ ବିଷୟରେ ବି ବୈଠକରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର