ଉଭୟ ଟ୍ରକ୍‌ ଓ ଗଞ୍ଜେଇ ଉଭାନ୍‌!

କୋଇଲା ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

ଖଣ୍ଡଗିରି: କୋଇଲା ବୋଝେଇ ଟ୍ରକ୍‌ରେ ଭର୍ତି ହୋଇଥିଲା ଗଞ୍ଜେଇ। କିନ୍ତୁ କୌଣସି ସୂତ୍ରରୁ ସୁରାକ୍‌ ପାଇ ଉକ୍ତ ଟ୍ରକ୍‌କୁ ପିଛା କରିଥିଲା ଏକ ବଲେରୋ(ଓଆର୍‌୦୫-ଆର୍‌-୬୪୫୬)। ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ପାଣିଓରା ଗାଁ ନିକଟ ଏକ ଜଙ୍ଗଲିଆ ସ୍ଥାନରେ ବଲେରୋଟି ଅଟକି ଯାଇଥିଲା। ଖୋର୍ଧାରୁ ଭୁବନେଶ୍ୱର ଦିଗରେ ଯାଉଥିବା ଉକ୍ତ କୋଇଲା ବୋଝେଇ ଟ୍ରକ୍‌ଟି ବୋଲେରୋକୁ ଦେଖି ଗାଡ଼ି ଛାଡ଼ି ଡ୍ରାଇଭର୍‌ ଓ ଅନ୍ୟ ଜଣେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ବୋଲେରୋରେ ଥିବା ଲୋକମାନେ ଟ୍ରକ୍‌ରୁ ପ୍ରାୟ ଏକ କ୍ୱିଣ୍ଟାଲ ଓଜନ୍‌ର ଗଞ୍ଜେଇକୁ ଗଡ଼ିରେ ଲଦି ନେଇ ଯାଇଥିଲେ। ଶୁକ୍ରବାର ସକାଳେ ପାଣିଓରା ଗାଁର କିଛି ଲୋକଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିଲେ ବି ସନ୍ଧ୍ୟାବେଳକୁ ଉକ୍ତ ଟ୍ରକ୍‌ ଓ ଗଞ୍ଜେଇ ବାବଦରେ କେହି ସୂଚନା ଦେଇ ପାରି ନଥିଲେ। ତେବେ ବୋଲେରୋରେ ଥିବା ଲୋକମାନେ ନିଜକୁ ଅବକାରୀ ବିଭାଗର କର୍ମଚାରୀ ବୋଲି ପରିଚୟ ଦେବା ସହିତ କେବଳ ଗଞ୍ଜେଇ ଜବତ ହୋଇଥିବା କହିଥିଲେ। ତେବେ ଏହି ବୋଲୋରେ ପ୍ରକୃତରେ ଅବକାରୀ ବିଭାଗ କର୍ମଚାରୀ ଥିଲେ ନାଁ ଆଉ କିଏ ତାହା ଏବେ ଚର୍ଚାର ବିଷୟ ହୋଇଛି। ସନ୍ଧ୍ୟାରେ ଏ ନେଇ ଗଣମାଧ୍ୟମର ପ୍ରତିନିଧିମାନେ ଭୁବନେଶ୍ୱର ଅବକାରୀ ବିଭାଗ ଓ ଚନ୍ଦକା ଥାନା ସହିତ ଯୋଗାଯୋଗ କରିଥିଲେ। ମାତ୍ର କୌଣସିଠାରୁ କିଛି ସଠିକ୍‌ ତଥ୍ୟ ମିଳି ନଥିଲା। ଏ ନେଇ ନାର୍କୋଟିକ୍‌ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା।

ସମ୍ବନ୍ଧିତ ଖବର