ଯଶୁ ହତ୍ୟାକାଣ୍ଡର ପର୍ଦାଫାଶ: ହତ୍ୟା ପଛରେ ଦାଦାବଟି

ସୁଟର୍‌ ସମେତ ୮ ଗିରଫ, ୩ ଫେରାର୍‌

ଢେଙ୍କାନାଳ: ବିଜେଡି ନେତା ତଥା ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ଓରଫ୍‌ ଯଶୁ ହତ୍ୟାକାଣ୍ଡ ଉପରରୁ ଆଜି ପରଦା ଉଠିଛି। ସ୍ୱଗର୍ତ ପରିଡ଼ାଙ୍କ ଏକାଦଶାହରେ ଢେଙ୍କାନାଳ ଜିଲ୍ଲା ପୁଲିସ ହତ୍ୟାକାଣ୍ଡର ରହସ୍ୟ ଖୋଲିଛି। ହତ୍ୟା ପଛର ମୂଳ କାରଣ ଦାଦା ବଟି ବୋଲି ପୁଲିସ କହୁଥିବା ବେଳେ ଏହାର ମୁଖ୍ୟ ଅଭିଯୁକ୍ତ କାମାକ୍ଷାନଗର ଆଳୁତୁମାର ରାକେଶ ନାଥ(୨୭) ଓରଫ୍‌ ଭାଇଜାନ୍‌ ଓରଫ୍‌ ରାଧେ ଓରଫ୍‌ ପାନା। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ଏସ୍‌ପି ସନ୍ତୋଷ କୁମାର ନାୟକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବ୍ଲକ କଲୋନୀର ସୁଟର ପ୍ରକାଶ ନାୟକ ସେଦିନ ଯଶୁଙ୍କୁ ଗୁଳି କରିଥିଲେ। ମୁଖ୍ୟ ଅଭିଯୁକ୍ତ ରାକେଶ, ସୁଟର ପ୍ରକାଶଙ୍କ ସମେତ ତାଙ୍କର ଅନ୍ୟ ୬ଜଣ ସହଯୋଗୀଙ୍କୁ ମିଶାଇ ପୁଲିସ ଘଟଣାରେ ସମୁଦାୟ ୮ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ ଏବେ ବି ଫେରାର୍‌ ଅଛନ୍ତି। ଘଟଣାରେ ଅଭିଯୁକ୍ତଙ୍କଠାରୁ ୫ଟି ଅଫୁଟା ବୋମା ଜବତ କରିଛି। କିନ୍ତୁ ହତ୍ୟାରେ ବ୍ୟବହୃତ ମାଉଜର ମିଳି ପାରିନାହିଁ। ପୁଲିସର କହିବା ଅନୁସାରେ, କାମାକ୍ଷାନଗର ଆଳୁତୁମା ଗ୍ରାମର ମଦନ ମୋହନ ନାଥ ପୁଅ ରକେଶ(୨୭) ବିଭିନ୍ନ ସମୟରେ କାମାକ୍ଷାନଗରରେ କାର୍ଯ୍ୟ କରୁଥିବା ଏଆର୍‌ଏସ୍‌ଏସ୍‌ କମ୍ପାନି, ରେଲ୍‌େଓ୍ଵ କମ୍ପାନି ଭଳି ବଡ଼ ବଡ଼ ଠିକା ସଂସ୍ଥାରୁ ଦାଦାବଟି ଆଦାୟ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଯଶୋବନ୍ତଙ୍କ ପତିଆରା ସେଠାରେ ଏତେ ଅଧିକ ଥିଲା ଯେ ସେ ତାହା କରାଇ ଦେଉନଥିଲେ। ରାକେଶଙ୍କ ଦାଦାବଟି ଆଦାୟରେ ଯଶୁ ବଡ଼ ବାଧକ ସାଜିଥିଲେ। ତଥାପି ମିଳିମିଶି ଦାଦାବଟି ଆଦାୟ କରିବାକୁ ଯଶୁଙ୍କୁ ରାକେଶ ଅନୁରୋଧ କରିଥିଲା। କିନ୍ତୁ ରାକେଶଙ୍କ ପ୍ରସ୍ତାବକୁ ଯଶୁ ପ୍ରତ୍ୟାଖ୍ୟାନ କରିଥିଲେ। ନିଜର ଏକଚାଟିଆ ପତିଆରାକୁ ଯଶୁ ବଢ଼ାଇ ଚାଲିଥିଲେ। ଇତିମଧ୍ୟରେ ରାକେଶର ବାପାଙ୍କୁ ଏଆର୍‌ଏସ୍‌ଏସ୍‌ କମ୍ପାନିରୁ ବିଦା କରାଯାଇଥିଲା। ଏହା ପଛରେ ଯଶୁଙ୍କ ସମ୍ପୃକ୍ତି ନେଇ ରାକେଶ ରକ୍ତମୁଖା ହୋଇଥିଲା। ତେଣୁ ସବୁଆଡ଼ୁ ପ୍ରତିବନ୍ଧକ ସାଜିଥିବା ଯଶୁଙ୍କୁ ରାସ୍ତାରୁ ହଟାଇ ନିଜେ ଦାଦାବାଟି ଆଦାୟ କରି ସିକନ୍ଦର ସାଜିବାକୁ ଯୋଜନା କରିଥିଲେ। ସେଥିପାଇଁ ଯଶୁଙ୍କୁ ହତ୍ୟା କରାଯାଇଥିବା ଏସ୍‌ପି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର