ଗୁଣି ପ୍ରଭାବରୁ ମୁକ୍ତ କରିବା ଆଳରେ ୨ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭଣ୍ଡ ତାନ୍ତ୍ରିକ; ସ୍ତ୍ରୀ ପ୍ରସ୍ତୁତ କରୁଥିଲା ଅଶ୍ଳୀଳ ଭିଡ଼ିଓ

ମୁମ୍ବାଇ: ଆଜିର ସମୟରେ ବି ଲୋକେ ଗୁଣିଗାରେଡିରେ ବିଶ୍ୱାସ କରିବା ଆଶ୍ଚର୍ଯ୍ୟର ବିଷୟ। ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଜଣେ ମହିଳା ବର୍ଷ ବର୍ଷ ଧରି ଜଣେ ତାନ୍ତ୍ରିକ ବୋଲାଉ ଥିବା ଭଣ୍ଡର ଦୁଷ୍କର୍ମର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ,ଭଣ୍ଡ ତାନ୍ତ୍ରିକ ମହିଳାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି।

ମୁମ୍ବାଇର ଜଣେ ମହିଳା ତାଙ୍କୁ କେହି ଗୁଣିଗାରେଡି କରିଥିବା କଥା ଭାବି ଜଣେ ତାନ୍ତ୍ରିକର ସହାୟତା ଲୋଡ଼ିଲେ। ଏହାର ସୁଯୋଗ ନେଇ ଥାନେର ବାସିନ୍ଦା ନୁର୍‌ ମହମ୍ମଦ ଶେଖ୍‌ ତାଙ୍କୁ ଭଲ କରିବା ଆଳରେ ବର୍ଷ ବର୍ଷ ଧରି ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସିଛି।

ନୁର୍‌ଙ୍କୁ ତାଙ୍କ ପତ୍ନୀ ରୁବିନା ଏହି କାଣ୍ଡରେ ସହାୟତା କରିବା ସହ ଦୁଷ୍କର୍ମ ସମୟର ଫଟୋ ଉତ୍ତୋଳନ କରୁଥିଲେ। ଏହାପରେ ନୁର୍‌ ଓ ରୁବିନା ମହିଳାଙ୍କ ଠାରୁ ୧.୪୮ ଲକ୍ଷ ଟଙ୍କା ଆଦାୟ କରିଥିଲେ।

ଗୁଣି ମୁକ୍ତ କରିବା ଆଳରେ ୨୦୧୫ ମସିହାରୁ ପୀଡ଼ିତାଙ୍କୁ ନୁର୍‌ ଦୁଷ୍କର୍ମ କରୁଥିବା ଜଣାପଡ଼ିଛି। ଏଥିସହ ଟଙ୍କା ନ ଦେଲେ ତାଙ୍କର ଅଶ୍ଳୀଳ ଭିଡ଼ିଓ ଭାଇରାଲ୍‌ କରିବା ଧମକ ମଧ୍ୟ ଦେଇଥିଲେ।

ପୀଡ଼ିତା ମହିଳା ଏହାକୁ ବିରୋଧ କରିବାରୁ ନୁର୍‌ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟାଧମକ ଦେଇଥିଲେ। ଏହାପରେ ପୀଡ଼ିତା ପୁଲିସରେ ଏତଲା ଦେବା ପରେ ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ରୁବିନାଙ୍କୁ ଗିରଫ କରିଥିବାବେଳେ ନୁର୍‌ ଫେରାର୍‌ ଅଛନ୍ତି।

ସମ୍ବନ୍ଧିତ ଖବର