ବଡ଼ ଭଉଣୀକୁ ଭୁଜାଲି ଚୋଟ୍‌, ସାନ ଭଉଣୀର ଚେନ୍‌ ଝାମ୍ପିନେଲେ

ଖଣ୍ଡଗିରି : ଆଜି ସକାଳ ପ୍ରାୟ ୬ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଗୋହିରା ଛକରେ ଦୁଇ ଜଣ ଦୁର୍ବୃତ୍ତ ଦୁଇ ଭଉଣୀଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଯୁବତୀ ମାନେ ହେଲେ ବାଲିପାଟଣା ଥାନା ବିସୁନିଆପଡ଼ାର ସଦାନନ୍ଦ ରାଉତଙ୍କ ଝିଅ ବର୍ଷା(୨୧) ଓ ସୁନିତା(୨୩)। ଅଭିଯୋଗ ପାଇବା ପରେ ଯାଁଳା ଫାଣ୍ଡି ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ଆଜି ସକାଳେ ଦୁଇ ଭଉଣୀ ସୁନିତା ଓ ବର୍ଷା ଭୁବନେଶ୍ୱରରୁ ଏକ ବସ୍‌ ଯୋଗେ ଆସି ଗୋହିରା ଛକରେ ଓହ୍ଲାଇଥିଲେ। ମାମୁଘର ଅରିଶଲ ଯିବା ପାଇଁ ସେମାନେ ଗୋହିରା ଛକରେ ଅନ୍ୟ ଗାଡ଼ିକୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ହଠାତ୍‌ ଯୁବକ ଜଣଙ୍କ ଏକ ଭୁଜାଲି ବାହାର କରି ବଡ଼ ଭଉଣୀ ସୁନିତାଙ୍କ ବେକରେ ଲଗାଇ ବେକରୁ ହାର ଓ ମଙ୍ଗଳସୂତ୍ର ଟାଣି ନେବାକୁ ଉଦ୍ୟମ କଲା। ମାତ୍ର ଡରି ନଯାଇ ସୁନିତା ଯୁବକକୁ ଏକ ଶକ୍ତ ଧକ୍କା ପକାଇଥିଲେ। ଏତିକିବେଳେ ସାନ ଭଉଣୀ ବର୍ଷା ମଧ୍ୟ ବଡ଼ ଭଉଣୀ ସହ ମିଶି ଉକ୍ତ ଦୁର୍ବୃତ୍ତକୁ ପ୍ରତିରୋଧ କରିଥିଲେ। ତେବେ ଦୁର୍ବୃତ୍ତ ଜଣଙ୍କ ଭୁଜାଲିରେ ସୁନିତାଙ୍କ ମୁଣ୍ଡକୁ ହାଣି ପକାଇଥିଲା। ଏହି ମଉକାରେ ଦୁର୍ବୃତ୍ତ ଜଣଙ୍କ ବର୍ଷାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଥିଲା। ଦୁର୍ବୃତଦ୍ୱୟ ମଦନପୁର ରାସ୍ତାରେ ଫେରାର୍‌ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର