ଝିଅକୁ ପୋଡ଼ି ମାରିଲା ମା’

ଭୁବନେଶ୍ୱର : ରାଜଧାନୀରେ ଆଜି ଜଣେ ମହିଳା ନିଜ ଜନ୍ମକଲା ଝିଅକୁ ପୋଡ଼ି ହତ୍ୟା କରିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହିର ଶକ୍ତିବିହାରରେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମା’କୁ ଥାନାରେ ଅଟକ ରଖିଛି। ସୂଚନା ଅନୁଯାୟୀ ଶିଶୁଟିକୁ ସଂକଟାପନ୍ନ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ପରେ ସେଠାରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ରାତି ପ୍ରାୟ ୧୧ଟାରେ ସେଠାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଏ ଘଟଣାକୁ ନେଇ ସାଲିଆସାହି ଓ ତାର ଆଖପାଖ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି ହୋଇଛି।

ମିଳିଥିବା ସୂଚନାନୁଯାୟୀ ସାଲିଆସାହି ଶକ୍ତିବିହାରରେ ରଘୁନାଥ ପିଙ୍ଗୁଆ ଓ ତାଙ୍କ ସ୍ତ୍ରୀ ସୁନା ପିଙ୍ଗୁଆଙ୍କ ଦୀର୍ଘ ଦିନ ହେଲା ରହି ଆସୁଥିଲେ। କିଛି ମାସ ପୂର୍ବେ ସୁନା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଶିଶୁ କନ୍ୟା ଜନ୍ମ ହେବାର କିଛି ଦିନ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଆରମ୍ଭ ହୋଇଥିଲା। ବୁଧବାର ରାତିରେ କୌଣସି କଥାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି କଥାକୁ କେନ୍ଦ୍ର କରି ଆଜି ସକାଳ ପ୍ରାୟ ସାଢ଼ ଆଠଟା ସମୟରେ ସୁନା କପଡ଼ାରେ ନିଆଁ ଲଗାଇ ଶିଶୁ କନ୍ୟାକୁ ଶୁଆଇ ଦେଇଥିଲା। ସୌଭାଗ୍ୟକୁ ଠିକ ସେହି ସମୟରେ ରଘୁନାଥ ସେଠାରେ ପହଞ୍ଚି ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ। ସେତେବେଳକୁ ଶିଶୁଟି ପ୍ରାୟ ୬୦ ପ୍ରତିଶତ ପୋଡ଼ି ଯାଇଥିଲା। ସେ ଶିଶୁ କନ୍ୟାକୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ ସଙ୍ଗେସଙ୍ଗେ କଟକ ବଡ଼ ମେଡ଼ିକାଲକୁ ସ୍ଥାନନ୍ତରିତ କରାଯାଇଥିଲା। ଏନେଇ ସେଠିକାର ବସ୍ତିବାସିନ୍ଦା ନୂଆପଲ୍ଲୀ ଥାନାକୁ ଫୋନ କରି ଜଣାଇବାରୁ ପୁଲିସ ସୁନାକୁ ଅଟକ ରଖିଛି।

ମହିଳା ଜଣଙ୍କ ମାନସିକ ବିକୃତ ଥିବା ପୁଲିସ କହିଛି। ସୁନାକୁ ପଚରାଉଚରା ଜାରି ରହିଛି ବୋଲି ନୂଆପଲ୍ଲୀ ଥାନାର ଇନ୍ସପେକ୍ଟର ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର