ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ଼ଶ୍ରୀରାମପୁର ସ୍ଥିତ ‘ବର୍ଷା ରିଭେରା’ ଆପାର୍ଟମେଣ୍ଟର ୬ ମହଲା କୋଠା ଉପରୁ ନବବିବାହିତା ମହିଳାଙ୍କ ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ମୃତ ପ୍ରିୟମ୍ବଦା ମଲ୍ଲଙ୍କ (୨୫) ବାପା ପ୍ରଶାନ୍ତ ମଲ୍ଲ ପ୍ରିୟମ୍ବଦାଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ବାଲିଅନ୍ତା ପୁଲିସର କୋହଳ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ସ୍ଥାନୀୟ ପୁଲିସର ତଦନ୍ତ ଦିଗ ବାଟ ହୁଡ଼ିବା ସଂକ୍ରାନ୍ତରେ ମଧ୍ୟ ପ୍ରଶାନ୍ତ ତାଙ୍କ ଏତଲାରେ ଦର୍ଶାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାର ଦୁଇଦିନ ପରେ ପ୍ରିୟମ୍ବଦାଙ୍କ ସ୍ୱାମୀ ପ୍ରିୟଦର୍ଶୀ ରଥ ଓ ଶ୍ୱଶୁର ପ୍ରକାଶ ଚନ୍ଦ୍ର ରଥଙ୍କୁ ପୁଲିସ ଗିରଫ କରିଥିଲା। ହେଲେ କେବଳ ପ୍ରିୟଦର୍ଶୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପ୍ରକାଶଙ୍କୁ ପୁଲିସ ଛାଡ଼ି ଦେଇଥିବା ପ୍ରଶାନ୍ତ କହିଛନ୍ତି। ବାପଘରୁ ଆଉ ଅଧିକ ଯୌତୁକ ଆଣିବା ପାଇଁ ଚାପ ପକାଇ ଶାଶୂଘର ଲୋକେ ପ୍ରିୟମ୍ବଦାଙ୍କୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନ ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ତାଙ୍କ ବାପା ପ୍ରଶାନ୍ତ ପରିବାର ଓ ସଂପର୍କୀୟ ଲୋକଙ୍କ ସହିତ ଆଜି ପୂର୍ବାହ୍ନରେ ପୁଲିସ କମିସନର ଓ ମହିଳା କମିସନ ଅଧ୍ୟକ୍ଷାଙ୍କୁ ଭେଟି ଅଭିଯୋଗ କରିବା ସହ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ସୂଚନାଯୋଗ୍ୟ ଗତ ୬ ମାସ ତଳେ ପ୍ରିୟଦର୍ଶୀ ଓ ପ୍ରିୟମ୍ବଦାଙ୍କ ମଧ୍ୟରେ ବିବାହ ହୋଇଥିଲା । ହେଲେ ଗତ ୨୨ ତାରିଖ ବିଳମ୍ବିତ ରାତିରେ ସନ୍ଦେହଜନକ ଅବସ୍ଥାରେ ପ୍ରିୟମ୍ବଦାଙ୍କ ଛାତରୁ ଖସି ପଡ଼ି ମୃତ୍ୟୁ ହୋଇଯାଇଥିଲା।