ଏସ୍‌ଆଇକୁ ଧକ୍କା ମାରି ଦୁଇ ଗିରଫ

ପୁରୁଣା ଭୁବନେଶ୍ୱର: ଏୟାର ଫିଲଡ୍‌ ଥାନା ଅନ୍ତର୍ଗତ ସୁର କମ୍ପାନି ଛକଠାରେ ଗତକାଲି ରାତିରେ ଜଣେ କାର୍ଯ୍ୟରତ ସବ୍‌ଇନ୍‌ସକ୍ଟେରଙ୍କୁ ଧକ୍କା ମାରିବା ଅଭିଯୋଗରେ ପୁଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଦ୍ୱୟ ହେଲେ, ପଳାସପଲ୍ଲୀ ଲେନ୍‌ ୧୦ରେ ରହୁଥିବା ଦିଲ୍ଲୀପ ପଣ୍ଡା (୨୨) ଓ ବିଦ୍ୟା ସାଗର ବେହେରା (୨୩)। ପୁଲିସ ସୂଚନା ଅନୁଯାୟୀ ସୁର କମ୍ପାନି ଛକଠାରେ ଥିବା ଏକ ଦୋକାନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ଥିବାରୁ ଏୟାର ଫିଲଡ୍‌ ଥାନା ସବ୍‌ ଇନ୍‌ସକ୍ଟେର ଅଜୟ କୁମାର ସାହୁ ପହଞ୍ଚି ବନ୍ଦ କରିବାକୁ କହିଥିଲେ। ତେବେ ଉତ୍ତ୍ୟକ୍ତ ଦିଲ୍ଲୀପ ଓ ବିଦ୍ୟା ତାଙ୍କୁ ଧକ୍କା ମାରିବା ସହ ଠେଲାପେଲା କରିଥିଲେ। ଦିଲ୍ଲୀପଙ୍କ ହାତ ଖଡ଼ା ଏସ୍‌ଆଇଙ୍କ ମୁଣ୍ଡରେ ବାଜି ରକ୍ତସ୍ରାବ ହୋଇଥିଲା। ଏନେଇ ପୁଲିସ ଗତକାଲି ଦିଲ୍ଲୀପ ଓ ବିଦ୍ୟାଙ୍କ ସମେତ ୪ ଜଣଙ୍କୁ ଅଟକ ରଖିଥିଲେ। ତେବେ କାର୍ଯ୍ୟରତ ସବ୍‌-ଇନ୍‌ସକ୍ଟେର ଅଜୟ ଅଭିଯୋଗକୁ ଭିତ୍ତି କରି ପୁଲିସ ଦିଲ୍ଲୀପ ଓ ବିଦ୍ୟାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର