୨,୦୦୦ ଟଙ୍କା ଲୋଭରେ ମିଛ କହି ବନ୍ଧ୍ୟାକରଣ କଲେ ୨୦ ବର୍ଷିଅ ଅବିବାହିତ ଯୁବକ

ଗୌହାଟୀ: ଅଭାବ ବ୍ୟକ୍ତିକୁ କେଉଁ ପରିସ୍ଥିତିରେ ପକାଇବ ତାହା କେହି ଜଣନ୍ତି ନାହିଁ। ଆସାମର ଜଣେ ୨୦ ବର୍ଷିଅ ଯୁବକ ଟଙ୍କା ପାଇଁ ଏପରି ଏକ ମିଛ କହିଛନ୍ତି ଯାହା ଆଦୌ ବିଶ୍ୱାସ ହେବ ନାହିଁ। ମାତ୍ର ୨, ୦୦୦ ଟଙ୍କା ପାଇଁ ଏହି ଯୁବକ ମିଛରେ ନିଜକୁ ବିବାହିତ ଏବଂ ସନ୍ତାନର ଜନକ ବୋଲି ଦର୍ଶାଇ ବନ୍ଧ୍ୟାକରଣ କରାଇଥିବା ଜାଣିବାକୁ ମିଳିଛି। ତେବେ ଯୁବକ ଜଣକ ଆକ୍‌ରେଡିଟେଡ୍‌ ସୋସିଆଲ୍‌ ହେଲ୍‌ଥ୍‌ ଆକ୍ଟିଭିଷ୍ଟ୍‍(ଆଶା)ର ଜଣେ ସାମାଜିକ ସ୍ୱାସ୍ଥ୍ୟ କର୍ମୀଙ୍କ କଥାରେ ଅନୁପ୍ରେରିତ ହୋଇ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।

ପୁଲିସ୍‌ ଶୁକ୍ରବାର ଭୁଲ୍‌ ପରାମର୍ଶ ଉକ୍ତ ଆଶା କର୍ମୀଙ୍କୁ ଗିରଫ କରିଛି। ପୀଡ଼ିତ ଅଞ୍ଜୁ(ଛଦ୍ମନାମ) ଏକ ମାମଲା ରୁଜୁ କରିବା ପରେ କୋର୍ଟ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତରେ ପଠାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ମାମଲାର ତଦନ୍ତ ଦାବି ହୋଇଛି। ପୀଡ଼ିତ ଜଣକ ଜଣାଇଛନ୍ତି ଯେ ସେ ବନ୍ଧ୍ୟାକରଣ ପାଇଁ ଯେଉଁ ଇନ୍‌ଜେକ୍ସନ ନେଇଛନ୍ତି ସେଥିଯୋଗୁ ସେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିତୃତ୍ୱ ଲାଭ କରିପାରିବେ ନାହିଁ। ସ୍ୱାସ୍ଥ୍ୟ ବିଭାଗର ଏହି ବନ୍ଧ୍ୟାକରଣ ଯୋଜନା ମୁତାବକ ବନ୍ଧ୍ୟାକରଣ କରୁଥିବା ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଯେଉଁ ଆଶା ସ୍ୱେଚ୍ଛାସେବୀ ଲୋକ ଯୋଗାଡ଼ କରିଥାନ୍ତି ତାଙ୍କୁ ୨୦୦ ଟଙ୍କା ମିଳିଥାଏ। ୨୦୦ ଟଙ୍କା ଲୋଭରେ ଆଶା କର୍ମୀ ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର