ପଞ୍ଜାବର ପ୍ରଥମ ମହିଳା କ୍ୟାବ ଡ୍ରାଇଭର ଲୁଟେରା ଗ୍ୟାଙ୍ଗର ସର୍ଦ୍ଦାର

ମୋହାଲି: ପଞ୍ଜାବର ପ୍ରଥମ ମହିଳା କ୍ୟାବ ଡ୍ରାଇଭରଙ୍କ କାରନାମା ଶୁଣି ଏବେ ପୁଲିସର ହୋସ ଉଡ଼ିଯାଇଛି। ନିଜକୁ କ୍ୟାବ୍‌ ଡ୍ରାଇଭର ପରିଚୟ ଦେଇ କାର ଚଳାଉଥିବା ନବଦୀପ କୌର ବାସ୍ତବରେ ଜଣେ ଗ୍ୟାଙ୍ଗଷ୍ଟର। ଆଉ ପେଷା ହେଲା କାର ଳୁଟ୍‌ ସହିତ ଅପହରଣ ପରି ଅପରାଧ ଘଟାଇ ଟଙ୍କା ଆଦାୟ କରିବା। ତେବେ ପୁଲିସ ନବଦୀପ କୌର ଓ ତାର ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଏକ କାର ଚୋରି ଘଟଣାରେ ଗିରଫ କରିବା ପରେ ବହୁ ଅପରାଧିକ ଘଟଣାର ରହସ୍ୟ ଉନ୍ମୋଚନ କରିଛି।


ଜଳନ୍ଧର ପୁଲିସ କମିସନର ପ୍ରବୀଣ ସିହ୍ନା କହିଛନ୍ତି ଯେ ନବଦୀପ କୌର ଓରଫ ଦୀପ୍‌ କାର ଚଳାଇ ଗୁଜୁରାଣ ମେଣ୍ଟାଇ ଥାଏ। ତାର ସ୍ୱାମୀ ଗୁରବିନ୍ଦର ସିଂହ ୬ଟି ବ୍ୟାଙ୍କ ଡକାୟତି ମାମଲାରେ ଚଣ୍ଡିଗଡ଼ର ବୁରାଲି ଜେଲରେ ଅଛି। ତେବେ ବାହାରକୁ କାର ଚଳାଉଥିବା ନବଦୀପ ବାସ୍ତବରେ ଏକ ଡକାୟତି ଓ ଳୁଟ ଦଳର ମୁଖ୍ୟ ଥିଲା। ନବଦୀପ ତାର ସହଯୋଗୀ ଅନୀଲ କୁମାର ସୋନୁ ଓ ଗୁରପୀତ ସିଂହ ସହଯୋଗରେ କାର ଲୁଟ୍‌ କରିଥାଏ। ତେବେ ଗତ ଅଗଷ୍ଟ ୧୮ ତାରିଖରେ ନବଦୀପ କୌରଙ୍କ ଗ୍ୟାଙ୍ଗ ବନ୍ଧୁକ ଦେଖାଇ ଇନ୍ଦ୍ରଜିତ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ୁ ଅପହରଣ କରି ୪୦ ହଜାର ଟଙ୍କା ସହିତ ତାଙ୍କ ମାରୁତି ବ୍ରିଜା କାର ଲୁଟି ନେଇଥିଲେ। ଏହି ଘଟରାର ତଦନ୍ତ କରୁଥିବା ପୁଲିସ କାରଟିକୁ ଜବତ କରିବା ସହିତ ଏହି ଗ୍ୟାଙ୍ଗ ଠାରୁ ୩୫୦ ଗ୍ରାମର ବ୍ରାଉନ ସୁଗାର,ରିଭଲଭର, ଗୁଳି ଭର୍ତ୍ତି ପିସ୍ତଲ ପ୍ରଭୃତି ଜବତ କରିଛି। ତେବେ ଏହି ଗ୍ୟାଙ୍ଗ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଦୀପକ କୁମାର ଓରଫ ବିନ୍ନି ଗୁଜ୍ଜରଙ୍କୁ ଜେଲରୁ ଫେରାର କରିବା ଷଡଯନ୍ତ୍ର କରୁଥିଲେ। ତେବେ ନବଦୀପର ମୋବାଇଲ ଫୋନ୍‌ରୁ କେତେକ ଭିଡ଼ିଓ ମିଳିଛି,ଯେଉଁଥିରେ ସେ ନିଜେ ରିଭଲଭର ଫୁଟାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର