ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ

ଅଭିଯୁକ୍ତ ବୃଦ୍ଧ ଫେରାର

ବ୍ରହ୍ମଗିରି: ବୟସ ମାତ୍ର ୯ ବର୍ଷ। ସେଥିରେ ପୁଣି ମାନସିକ ଅନଗ୍ରସର। ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଜଣେ ବାଳିକାକୁ ଦୁଷ୍କର୍ମ କରାଯିବା ଘଟଣା ବ୍ରହ୍ମଗିରି ଅଞ୍ଚଳବାସୀଙ୍କ ମୁଣ୍ଡକୁ ତଳକୁ କରିଦେଇଛି। ଚକୋଲେଟ୍‌ ଓ କିଛି ଖୁଚୁରା ପଇସାର ପ୍ରଲୋଭନ ଦେଖାଇ ଗାଁ ନିକଟସ୍ଥ ଜଙ୍ଗଲରେ ଏଭଳି କୁକର୍ମ କରିଛି ଜଣେ ବୃଦ୍ଧ। ଏ ନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ଏହି ଘଟଣା ପରେ ଅଭିଯୁକ୍ତ ବୃଦ୍ଧ ଫେରାର ହୋଇଯାଇଛି। ବ୍ରହ୍ମଗିରି ଥାନା ଆଇଆଇସି ପ୍ରଭାତ କୁମାର ମଲ୍ଲିକଙ୍କ ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନରେ ବ୍ରହ୍ମଗିରି ଥାନା ଅଞ୍ଚଳର ଏହି ୯ ବର୍ଷର ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା। ପୀଡ଼ିତା ଗାଁରେ ଭଡ଼ାରେ ରହୁଥିବା ଧନୁର୍ଦ୍ଧର ପଲେଇ (୫୫) ନାମକ ଜଣେ ବ୍ୟକ୍ତି ସୋମବାର ମଧ୍ୟାହ୍ନରେ ମେସିନ୍‌ ଯୋଗେ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଧାନ ଅମଳ କରୁଥିଲେ। ଏହି ସମୟରେ ନାବାଳିକା ରୋଜି (ଛଦ୍ମନାମ) ବାରମ୍ବାର ମେସିନ୍‌ରେ ଲାଗିବାରୁ ଅଘଟଣ ଆଶଙ୍କା କରି ତାକୁ ନେଇ ତାଙ୍କ ଘରେ ଛାଡି ଦେବାକୁ ଧାନଅମଳ କରୁଥିବା ବ୍ୟକ୍ତିଙ୍କ ପରିବାର ଲୋକେ କହିଥିଲେ। ଧନୁର୍ଦ୍ଧର ସାଙ୍ଗରେ ରୋଜିକୁ ନେଇ ଘରେ ଛାଡିବାକୁ ଯିବା ସମୟରେ ଚକୋଲେଟ୍‌ ଓ କିଛି ଖୁଚୁରା ପଇସା ଦେବାର ପ୍ରଲୋଭନ ଦେଖାଇ ଗାଁ ନିକଟସ୍ଥ ଏକ ଜଙ୍ଗଲକୁ ନେଇ ଯାଇଥିଲା ଏବଂ ଏକ ବୁଦା ମୂଳେ ରୋଜିକୁ ଦୁର୍ଷ୍କମ କରିଥିଲା। ଚିତ୍କାର ଶୁଣି ଶୌଚ ହେବାକୁ ଯାଇଥିବା ଅନ୍ୟ ଜଣେ ନାବାଳିକା ଚାଲି ଆସିବାରୁ ଘଟଣାସ୍ଥଳରୁ ଅଭିଯୁକ୍ତ ଧନୁର୍ଦ୍ଧର ଦୌଡ଼ି ପଳାଇଥିଲା। ଘଟଣା ସଂପର୍କରେ ରୋଜିର ବାପା ଆଜି ବ୍ରହ୍ମଗିରି ଥାନାକୁ ଆସି ଅଭିଯୋଗ କରିଥିଲେ। ପୀଡ଼ିତା ବାପାଙ୍କଠାରୁ ଅଭିଯୋଗ ପାଇବା ପରେ ପୁଲିସ୍‌ ତତ୍‌କ୍ଷଣାତ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାର ପୂରା ତଦନ୍ତ ପରେ ମାମଲା ରୁଜୁ ହେବା ସହିତ ଆସନ୍ତାକାଲି ପୀଡ଼ିତା ଝିଅର ଡାକ୍ତରୀ ମାଇନା କରାଯିବ ଏବଂ ଅଭିଯୁକ୍ତକୁ ଶିଘ୍ର ଗିରଫ କରାଯିବ ବୋଲି ବ୍ରହ୍ମଗିରି ଥାନା ଆଇଆଇସି ଶ୍ରୀ ମଲ୍ଲିକ କହିଛନ୍ତି। ମିଳିଥିବା ଖବର ଅନୁଯାୟୀ ଆଜି ସଂଧ୍ୟାରେ ପୀଡ଼ିତା ବାଳିକା ଓ ତାଙ୍କ ବାପା ବ୍ରହ୍ମଗିରି ଥାନାରେ ରହିଥିବା ବେଳେ ଥାନା ଆଇଆଇସିଙ୍କ ସହିତ ପୁଲିସର ଏକ ୮ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇଛି। ତୁରନ୍ତ ଅଭିଯୁକ୍ତକୁ ଗିରଫ ସହିତ ତା’ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର