ଖୋର୍ଦ୍ଧା ଜଟଣୀ ରେଳଷ୍ଟେସନ ନିକଟରେ ଭୁଜାଲି ଦେଖାଇ ୬ ଲକ୍ଷ ଟଙ୍କା ଲୁଟ୍‌

ଜଟଣୀ : ଖୋର୍ଦ୍ଧା ଜଟଣୀ ରେଳଷ୍ଟେସନ ନିକଟରେ ଆଜି ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଭୁଜାଲି ଦେଖାଇ ଜଣେ ଯୁବକଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ସାଢ଼େ ୧୧ଟା ବେଳେ ଜଟଣୀ ଥାନା କୁଦିଆରି ଗ୍ରାମର ସମରେଶ ଜେନା ଘର କାମ ପାଇଁ ଜଟଣୀ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ରୁ ୫ ଲକ୍ଷ ଟଙ୍କା ଉଠାଇଥିଲେ। ତାଙ୍କ ପାଖରେ ଏକ ଲକ୍ଷ ଟଙ୍କା ଥିଲା। ମୋଟ୍‌ ୬ ଲକ୍ଷ ଟଙ୍କା‌ ଏକ ବ୍ୟାଗ୍‌ରେ ରଖି ସମରେଶ ନିଜ ବାଇକ୍‌ ଯୋଗେ ରେଲୱେ ମାର୍କେଟ୍‌କୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଷ୍ଟେସନ୍‌ ଛକ ନିକଟରେ ୨ ଜଣ ଯୁବକ ଏକ ପଲ୍‌ସର ମୋଟର୍‌ ସାଇକେଲରେ ଆସି ସମରେଶଙ୍କୁ ଅଟକାଇବା ସହିତ ଭୁଜାଲି ଦେଖାଇ ୬ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌କୁ ଝାମ୍ପି ନେଇଥିଲେ। ଏହାପରେ ଡିଆରଏମ୍‌ ଅଫିସ୍‌ ଆଡ଼କୁ ପଳାଇ ଯାଇଥିଲେ। ସମରେଶ ମଧ୍ୟ ଦୁର୍ବୃତ୍ତ ଦ୍ବୟଙ୍କୁ ତାଙ୍କ ମୋଟ୍‌ ସାଇକେଲରେ ପିଛା କରିଥିଲେ। ସେପଟେ ରାସ୍ତା ନଥିବାରୁ ଦୁର୍ବୃତ୍ତମା‌ନେ ବି ଯାଇ ପାରିନଥିଲେ। ସମରେଶ ପାଟି କରିବାରୁ ସେଠାରେ ଥିବା ଘରୋଇ ସୁରକ୍ଷା କର୍ମଚାରୀମାନେ ମଧ୍ୟ ଦୁର୍ବୃତ୍ତଙ୍କୁ ଗୋଡ଼ାଇଥିଲେ। ମାତ୍ର ସମସ୍ତଙ୍କୁ ଚକ୍‌ମା ଦେଖାଇ ୨ ଦୁର୍ବୃତ୍ତ ଖସି ଯାଇଥିଲେ। ଏ ନେଇ ସମରେଶ ଲିଖିତ ଅଭିଯୋଗ କରିବା ପରେ ଜଟଣୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର