ସ୍ପା ନାଁରେ ସେକ୍ସ ର‍୍ୟାକେଟ୍‌ : ରାଜଧାନୀରେ ଥାଇଲାଣ୍ଡ ସେବା

ଭୁବନେଶ୍ୱର : ଦେହ ବେପାର ପାଇଁ କୁଖ୍ୟାତ ଥାଇଲାଣ୍ଡର ଯୁବତୀମାନଙ୍କୁ ନେଇ ରାଜଧାନୀରେ ଚାଲୁଥିଲା ସେକ୍ସ ର‍୍ୟାକେଟ୍‌। ସ୍ପା’ ଆଳରେ ଗ୍ରାହକଙ୍କୁ ସବୁ ପ୍ରକାରର ସେବା ଯୋଗାଇ ଦିଆଯାଉଥିଲା। ଆଉ ଏହି ଘୃଣ୍ୟ କାମରେ ନିୟୋଜିତ ହେଉଥିଲେ ଦେଶୀ ଓ ବିଦେଶିନୀ ଦେହଜୀବୀ। ଆଜି ଖାରବେଳନଗର ଥାନା ପୁଲିସ ହେଭେନ୍‌ ଥାଇ ସ୍ପା’ ଉପରେ ଚଢ଼ଉ କରି ଏହାର ପର୍ଦାଫାସ୍‌ କରିଛି। ଜଣେ ଜଣାଶୁଣା ଶିଳ୍ପପତିଙ୍କ ଭଡ଼ାଘରେ ଚାଲିଥିବା ଏହି ସ୍ପା’ରୁ ଥାଇଲାଣ୍ଡର ୩ ଯୁବତୀଙ୍କ ସମେତ ୫ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨ ଗ୍ରାହକ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ସେଠାରୁ ପୁଲିସ ଏକ ହୋଣ୍ଡା କାର୍‌, ଲାପଟପ୍‌, ୨୦ଟି ମୋବାଇଲ ଫୋନ୍‌, ୩ ଥାଇ ଯୁବତୀଙ୍କ ପାସପୋର୍ଟ, ଭିସା ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ତେବେ ଏହି ସ୍ପା ଚଳାଉଥିବା ଶ୍ରୀନିବାସ ନନ୍ଦ ଫେରାର ହୋଇଯାଇଛି।

ରାଜଧାନୀରେ ବିଦେଶିନୀଙ୍କୁ ନେଇ ସେକ୍ସ ର‍୍ୟାକେଟ୍‌ ଚାଲିବା କିଛି ନୂଆ କଥା ନୁହେଁ। କିଛି ମାସ ତଳେ ଖାରବେଳନଗର ଥାନା ପୁଲିସ ଜଣେ ଉଜବେକିସ୍ତାନ ଯୁବତୀଙ୍କୁ ଏକ ହୋଟେଲରୁ ନିଶାସକ୍ତ ଅବସ୍ଥାରେ ଗିରଫ କରିବା ପରେ ସେ ଏକ ସେକ୍ସ ର‍୍ୟାକେଟ୍‌ରେ ସଂପୃକ୍ତ ଥିବା ଜଣା ପଡ଼ିଥିଲା। ସେହିପରି ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ମଧ୍ୟ ପୁଲିସ ରୁଷୀୟ ଯୁବତୀଙ୍କୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରିଥିଲା। ତେବେ ଏହିସବୁ ର‍୍ୟାକେଟ୍‌କୁ ପର୍ଦାଫାସ୍‌ କରିବାରେ ପୁଲିସ ସଫଳ ହୋଇ ନ ଥିଲା। କିନ୍ତୁ ଆଜି ଖାରବେଳନଗର ଥାନା ପୁଲିସ ସ୍ପା’ରେ କାର୍ଯ୍ୟରତ ୩ ଥାଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ମସାଜ୍‌ ଆଳରେ ଚାଲିଥିବା ଏହି କଳା କରାନାମାକୁ ପଦାରେ ପକାଇବାରେ ସମର୍ଥ ହୋଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ୟୁନିଟ୍‌-୩ ଅଞ୍ଚଳରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ନିଜର ଏକ ବହୁତଳ ବିଶିଷ୍ଟ କୋଠାରେ ଏକ ମାର୍କେଟ କଂପ୍ଲେକ୍ସ ରହିଛି। ସେଥିରୁ ଚତୁର୍ଥ ମହଲାରେ ଥିବା ଏକ ଘରେ ଚାଲୁଥିଲା ହାଭେନ୍‌ ଥାଇ ସ୍ପା। ଆଜି ସେଠାରେ ଚଢ଼ଉ ବେଳେ ୩ ଥାଇ ଯୁବତୀଙ୍କ ସହ ଯାଜପୁର ଜିଲ୍ଲା ଓ ମହାରାଷ୍ଟ୍ରର ୨ ଯୁବତୀ ଉଦ୍ଧାର ହୋଇଛନ୍ତି। ଧରା ପଡ଼ିିଥିବା ଗ୍ରାହକ ଦ୍ୱୟ ହେଲେ ଏୟାରଫିଲ୍ଡ ଥାନା ଅଞ୍ଚଳର ଅଶ୍ୱଜିତ ମହାନ୍ତି(୪୦) ଓ ଜାଗମରା ଅଞ୍ଚଳର ସଞ୍ଜୀବ ସ୍ୱାଇଁ(୨୫)। ସେହିପରି ସ୍ପାରେ କାମ କରୁଥିବା ଦୁଇ କର୍ମଚାରୀ ମହେଶ୍ୱର ସେଠୀ ଓ ପ୍ରଶାନ୍ତ ସେଠୀ ମଧ୍ୟ ଗିରଫ ହୋଇଛନ୍ତି। ଜବତ ହୋଇଥିବା ଭିସାଗୁଡ଼ିକରୁ ଜଣାପଡ଼ିଛି ଯେ, ୩ ଥାଇ ଯୁବତୀ ବର୍ଷିକିୟା ଟୁରିଷ୍ଟ ଭିସାରେ ଚଳିତ ବର୍ଷ ୧୨ଏପ୍ରିଲରୁ ୧୭ ଅଗଷ୍ଟ ମଧ୍ୟରେ ଭାରତକୁ ଆସିଥିଲେ। ଭିସାର ସର୍ତ୍ତ ଅନୁଯାୟୀ ସେମାନେ ଭାରତରେ କୌଣସି ସ୍ଥାନରେ ଚାକିରି କରି ପାରିବେ ନାହିଁ। ଏହି ଯୁବତୀମାନେ କିଭଳି ଭାବେ ଏଠାରେ ସେବା ଯୋଗଉଥିଲେ ଏବଂ ଏମାନଙ୍କ ସହ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ଜାଣିବା ଲାଗି ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧିତ ଖବର