ସୁରଟ ଦୁଷ୍କର୍ମ ଓ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

ପୀଡ଼ିତା ଓ ମା’ଙ୍କୁ ୩୫ ହଜାର ଟଙ୍କାରେ କିଣିଥିଲା ଠିକାଦାର

ଅହମଦାବାଦ୍‌: ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ସୁରଟ୍‌ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗତକାଲି ଗୁଜରାଟ ପୁଲିସ ଗିରଫ କରିଥିବା ବେଳେ ଜେରାରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜସ୍ଥାନର ଗଙ୍ଗାପୁର ଗ୍ରାମରେ ପୀଡ଼ିତା ଏବଂ ତାଙ୍କ ମା’ ରହୁଥିଲେ ଏବଂ ଉଭୟଙ୍କୁ ଶ୍ରମିକ ଠିକାଦାର ୩୫,୦୦୦ ଟଙ୍କାରେ କିଣିଥିଲା। ତା’ର ଉଦ୍ଦେଶ୍ୟ ଥିଲା ସେମାନଙ୍କୁ ଗୋତି ଶ୍ରମିକ ଭାବେ ଖଟାଇବା। ତେବେ କୌଣସି କାରଣରୁ ସେ ଉଭୟ ମା’ ଓ ଝିଅଙ୍କୁ ଭୟଙ୍କର ନିର୍ଯାତନା ଦେଇ ହତ୍ୟା କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଗତ ଏପ୍ରିଲ ୬ ତାରିଖରେ ସୁରଟ୍‌ରୁ ଏକ ୧୧ ବର୍ଷୀୟା ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା। ଶିଶୁର ଶରୀରରେ ୮୭ଟି କ୍ଷତଚିହ୍ନ ଥିଲା ଏବଂ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା। ଏହାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଅପରାଧୀଙ୍କୁ ଠାବ କରିବା ପାଇଁ ପୁଲିସ ବ୍ୟାପକ ଅଭିଯାନ ଚଳାଇଥିଲା। ମୁଖ୍ୟ ଅଭିଯୁକ୍ତ ହର ସାୟାଇ ରାଜସ୍ଥାନର ଗଙ୍ଗାପୁରରୁ ଗିରଫ ହୋଇଛି ଏବଂ ତା’ର ଦୁଇ ଭାଇ ନରେଶ ଏବଂ ଅମର ସିଂ ଗୁର୍ଜରକୁ ମଧ୍ୟ ପୁଲିସ ଅଟକ ରଖିଛି। ସେମାନଙ୍କର ସୁରଟ୍‌ ସ୍ଥିତ ଠିକାଦାର ହରସିନ୍‌ ସହିତ ସଂପର୍କ ଥିଲା। ନରେଶ ଏବଂ ଅମର ଏହି ଠିକାଦାର ପାଇଁ କାର୍ଯ୍ୟ କରୁଥିଲେ। ଗତ ମାର୍ଚ୍ଚ ୧୫ ତାରିଖରେ ହରସାୟାଇ ନାବାଳିକା ଝିଅ ଓ ବିଧବା ମା’ଙ୍କୁ ୩୫,୦୦୦ ଟଙ୍କାରେ କୌଣସି ଅଜଣା ବ୍ୟକ୍ତିଠାରୁ କିଣିଥିଲା। ଏହାପରେ ମା-ଝିଅଙ୍କୁ ସୁରଟ୍‌ ସ୍ଥିତ ଏକ ଘରେ ଆବଦ୍ଧ କରି ରଖି ଅନେକ ଦିନ ଧରି ଦୁଷ୍କର୍ମ କରିଥିଲା। ଗତ ମାର୍ଚ୍ଚ ୨୦ ତାରିଖରେ ପ୍ରଥମେ ପୀଡ଼ିତାଙ୍କ ମା’ ନିଖୋଜ ହୋଇଯାଇଥିଲେ। ତେବେ ଗତ ଏପ୍ରିଲ ୬ ତାରିଖରେ ପୀଡ଼ିତାଙ୍କ ମୃତଦେହ ଯେଉଁ ସ୍ଥାନରୁ ଉଦ୍ଧାର କରାଯାଇଥିଲା ତା’ଠାରୁ ମାତ୍ର କିଛି ଦୂରରେ ଅନ୍ୟଜଣେ ମହିଳାଙ୍କ ମୃତଦେହ ଏପ୍ରିଲ ୧୦ ତାରିଖରେ ଉଦ୍ଧାର ହୋଇଥିଲା। ଏହା ପୀଡ଼ିତାଙ୍କ ମା’ଙ୍କ ମୃତଦେହ ବୋଲି ସନ୍ଦେହ ବଳବତ୍ତର ହୋଇଛି ଏବଂ ଡିଏନ୍‌ଏ ପରୀକ୍ଷା ପାଇଁ ପୁଲିସ ନମୂନା ପଠାଇଛି। ଅଭିଯୁକ୍ତ ହରସାୟାଇ ପ୍ରଥମେ ପୀଡ଼ିତାଙ୍କୁ ତଣ୍ଟି ଚିପି ମାରିଦେବାପରେ ଏପ୍ରିଲ ୫ ତାରିଖରେ କାର୍‌ରେ ନେଇ ଏକ ଷ୍ଟାଡିୟମ ନିକଟ ବୁଦା ଭିତରେ ପକାଇ ଦେଇଥିଲା। ପୁଲିସ ସିସିଟିଭି ଫୁଟେଜ୍‌ରୁ ଉକ୍ତ କାର୍‌କୁ ଦେଖିବାପରେ ଏହାର ମାଲିକକୁ ଚିହ୍ନଟ କରି ଠିକାଦାର ହରସିନ୍‌ ପାଖରେ ପହଞ୍ଚିଥିଲେ ଏବଂ ତାକୁ ଜେରା ବେଳେ ସବୁକଥା ଜଣାପଡ଼ିଥିଲା। ସେପଟେ ଆନ୍ଧ୍ରପ୍ରଦେଶର ଦମ୍ପତି ପୀଡ଼ିତା ଶିଶୁକନ୍ୟା ତାଙ୍କର ବୋଲି କହିଥିବାରୁ ଏବେ ଘଟଣାଟି ଅଧିକ ରହସ୍ୟମୟ ହୋଇଉଠିଛି। ଉଲ୍ଲେଖଯୋଗ୍ୟ ଗୁଜରାଟ ପୁଲିସ ପୀଡ଼ିତାର ପରିଚୟ ଚିହ୍ନଟ କରିବାରେ ବିଫଳ ହେବାପରେ କ୍ରାଇମ୍‌ ବ୍ରାଞ୍ଚ୍‌ ଏପ୍ରିଲ ୧୫ ତାରିଖରେ ଏହି ତଦନ୍ତ ମାମଲା ହାତକୁ ନେଇଥିଲା।

ସମ୍ବନ୍ଧିତ ଖବର