ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ଚାଲିଯାଇଥିଲା ସ୍ତ୍ରୀ, ଫେରିବା ପରେ ଲଣ୍ଡା କରିଦେଲା ସ୍ୱାମୀ

ମୈନ୍‌ପୁରୀ : ସ୍ୱାମୀ ଏବଂ ନିଜର ପିଲାମାନଙ୍କୁ ଛାଡ଼ି ପର ପୁରୁଷ ସହ ଘର ଛାଡ଼ି ଚାଲିଯିବା ମହିଳାଙ୍କୁ ପଡ଼ିଛି ମହଙ୍ଗା । ଘର ଛାଡ଼ି ଚାଲିଯିବାର ୨୦ଦିନ ପରେ ମହିଳା ପୁଣି ଥରେ ନିଜ ଶାଶୁ ଘରକୁ ଫେରିବା ପରେ ସ୍ୱାମୀ ରାଗରେ ସ୍ତ୍ରୀର ଚୁଟି କାଟି ଦେଇଥିବା ଜଣାପଡ଼ିଛି । ସ୍ୱାମୀଙ୍କର ଏଭଳି କାମକୁ ମହିଳା ପ୍ରଥମେ ବିରୋଧ କରିଥିଲେ ମଧ୍ୟ ଶେଷରେ ମହିଳାଙ୍କୁ ନିଜର ଚୁଟିକୁ କାଟିବାକୁ ପଡ଼ିଥିଲା । ପୂର୍ବରୁ ସ୍ତ୍ରୀ ଘର ଛାଡ଼ି ଚାଲି ଯାଇଥିବାରୁ ଚର୍ଚ୍ଚା ହୋଇଥିବା ବେଳେ ଏବେ ସ୍ତ୍ରୀର ମୁଣ୍ଡନ କରିବା ପରେ ଏହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

amarujala.com

ସୂଚନା ମୁତାବକ, ସ୍ୱାମୀ ଅବ୍‌ଧେଶ ପ୍ରଥମେ ମମତା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଯିଏ ଗର୍ଭବତୀ ଥିବା ସମୟରେ ମୃତ୍ୟୁବରଣ କରିବାରୁ ଅବଧେଶ ଦ୍ୱିତୀୟ ମହିଳାଙ୍କୁ ବିିବାହ କରିଥିଲେ। ଦ୍ୱିତୀୟ ମହିଳାଙ୍କୁ ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ଜନ୍ମ ନେଇଥିଲେ । କିନ୍ତୁ ମହିଳାଜଣକ ସ୍ୱାମୀର ଅନୁପସ୍ଥିତିରେ ପଡ଼ୋଶୀ ଯୁବକ ବ୍ରଜରାଜଙ୍କ ସହ ସଂପର୍କ ସ୍ଥାପନ କରିଥିଲେ । ବ୍ରଜରାଜଙ୍କ ସହ ରହିବା ପାଇଁ ମହିଳା ଜଣଙ୍କ ଜୁନ୍‌ ୩୦ରେ ଘରୁ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇବା ବାହାନାରେ ଯାଇ ଫେରାର ହୋଇ ଯାଇଥିଲେ । ଲୋକଲଜ୍ଜାକୁ ଡ଼ରି ପରିବାର ଲୋକେ ପୁଲିସରେ ଅଭିଯୋଗ ନ କରି ନିଜେ ନିଜେ ଖୋଜିବା ଆରମ୍ଭ କରିଥିଲେ । ୨୦ଦିନର ସନ୍ଧାନ ପରେ ବ୍ରଜରାଜଙ୍କ ଦୁଇ ଭାଇ ତାଙ୍କୁ ଖୋଜି ପାଇବା ସହ ମହିଳାଙ୍କୁ ତାଙ୍କ ଶାଶୁ ଘରେ ନେଇ ଛାଡ଼ିଥିଲେ । ସ୍ତ୍ରୀର ଏପରି କାମରେ ଆଗରୁ ରାଗରେ ଥିବା ସ୍ୱାମୀ ପୁଣି ଥରେ ସ୍ତ୍ରୀ ଘରକୁ ଫେରିବା ପରେ ରାଗରେ ଚୁଟି କାଟି ଲଣ୍ଡା କରି ଦେଇଥିଲେ । କିନ୍ତୁ ସ୍ତ୍ରୀ ଉପରେ କୌଣସି ଆତ୍ମାର ପ୍ରଭାବ ଥିବାରୁ ଆମେ ଏପରି କରିଛୁ ବୋଲି ଅବ୍‌ଧେଶ ସମସ୍ତଙ୍କୁ ଜଣାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର