ବାଜି ଓଲଟି ଗଲା: ବ୍ଲାକ୍‌ମେଲିଂ କରିବା ଲାଗି ଯାଇଥିବା ଯୁବତୀଙ୍କୁ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ

ନୂଆଦିଲ୍ଲୀ: ଋଣ ଅର୍ଥ ଆଦାୟ ଲାଗି ମୋହରା ବନିଥିବା ଜଣେ ଯୁବତୀ ଯମୁନା ଏକ୍ସପ୍ରେସ ହାଇେଓ୍ଵରେ ଚଳନ୍ତା ଗାଡ଼ିରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ନୂଆଦିଲ୍ଲୀର ଗ୍ରେଟର ନୋଏଡା ଅଞ୍ଚଳରେ ରହୁଥିବା ଏହି ଯୁବତୀ ଜଣକ ଏକ ଚାଟାର୍ଡ ଏକାଉଣ୍ଟାଣ୍ଟ ଅଫିସରେ କାର୍ଯ୍ୟ କରୁଥିଲେ। ମିଳିଥିବା ସୂଚନା ଅନୁସାରେ ସୁରେନ୍ଦ୍ର ଗୁଜର ନାମକ ଜଣେ ପ୍ରପଟି ଡିଲର ସଲମାନ୍‌ ମଲିକ ନାମକ ସ୍ନାପ୍‌ ଡିଲରଙ୍କୁ ୧୦ଲକ୍ଷ ଟଙ୍କା ଋଣ ଦେଇଥିଲେ। ଋଣ ନେବାର ୩ବର୍ଷ ଟପି ଯାଇଥିଲେ ହେଁ ସଲମାନ ଋଣ ଅର୍ଥ ଫେରାଇ ନଥିଲେ। ସେ ଗୁଜରଙ୍କୁ ଦେଇଥିବା ୨୦ଲକ୍ଷ ଟଙ୍କାର ଚେକ୍‌ ବାଉନ୍ସ କରିଥିଲା। ଏହାପରେ ଗୁଜର ଅନନ୍ୟୋପୟ ହୋଇ ତାଙ୍କର ପରିଚିତ ଏହି ଯୁବତୀଙ୍କ ଜରିଆରେ ସଲମାନ୍‌ଙ୍କୁ ବ୍ଲାକ୍‌ମେଲ କରି ଅର୍ଥ ଆଦାୟ କରିବା ଲାଗି ଯୋଜନା କରିଥିଲେ।

ଘଟଣା ଦିନ ଗୁଜରଙ୍କ ଇଙ୍ଗିତରେ ପୀଡିତା ସଲମାନ୍‌ଙ୍କ ସହ ତାଙ୍କ ଗାଡ଼ିରେ ଦିଲ୍ଲୀରୁ ଆଗ୍ରା ଯାଇଥିଲେ। ଯିବା ସମୟରେ ସେ ଅଭିଯୁକ୍ତ ସଲମାନଙ୍କ ସହ ଅନ୍ତରଙ୍ଗ ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ହଠାତ ସଲମାନ୍‌ ଗାଡ଼ିର ଷ୍ଟେରିଓର ସାଉଣ୍ଡ ବଢ଼ାଇ ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ସଲମାନ୍‌ଙ୍କ ପରେ ଗାଡ଼ିରେ ଥିବା ତାଙ୍କର ଆଉ ଜଣେ ବନ୍ଧୁ ମଧ୍ୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ଯୁବତୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଯୁବତୀ ଜଣକ ପୁଲିସକୁ ଫୋନ୍‌ କରି ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୁଲିସ ଯୁବତୀଙ୍କ ଡାକ୍ତରି ମାଇନା କରିବା ପରେ ଯୌନାଙ୍ଗରେ କ୍ଷତ ଥିବା ଜଣା ପଡ଼ିଥିଲା। ଅଭିଯୋଗ କ୍ରମେ ଦୁଇ ଦୁଷ୍କର୍ମକାରୀଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଡିଏନ୍‌ଏ ଟେଷ୍ଟ କରାଇଛି। ଯଦିଓ ପୀଡିତା ଏହି ଘଟଣାରେ ଗୁଜରଙ୍କ ଭୂମିକା ବିଷୟରେ କହି ନଥିଲେ କିନ୍ତୁ ପୁଲିସ ତଦନ୍ତ କରି ତାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର