ଦିନ ୧୨ଟାରେ ହୋଣ୍ଡା ସିଟି ଏବଂ ୧୦ଲକ୍ଷ ଟଙ୍କା ପାଇଁ ସ୍ୱାମୀ ମାଡ଼ ମାରୁଥିଲେ, ଅପରାହ୍ନ ୩.୩୦ରେ ଆସିଲା ମୃତ୍ୟୁ ଖବର !
ଯମୁନାନଗର : ଦୁଇ ମାସ ତଳେ ବିବାହ କରି ଖୁସିରେ ରହିବାର ସ୍ୱପ୍ନ ଦେଖିଥିଲେ ହରିୟାଣାର ସୁମନ । ଦୁଇ ମାସ ପରେ ତାଙ୍କର ସେହି ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ବିବାହ ପରେ ଯୌତୁକରେ ହୋଣ୍ଡା ସିଟି ଗାଡ଼ି ଏବଂ ୧୦ଲକ୍ଷ ଟଙ୍କା ଆଣି ନ ପାରିବାରୁ ନିର୍ଯାତନା ଦେଇଥିଲେ ଶାଶୁଘର ଲୋକେ । ଯାହାକୁ ସହି ନ ପାରି ସୁମନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ସୁମନଙ୍କ ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ସୁମନଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂମନଙ୍କ ଭାଇଙ୍କ କହିବା ଅନୁଯାୟୀ, ସୁମନ ଶୁକ୍ରବାର ଦିନ ୧୨ଟାରେ ଘରକୁ ଫୋନ କରି ତା’ର ସ୍ୱାମୀ ରବି ରାତିରେ ମଦ ପିଇ ଆସି ତାକୁ ମାଡ଼ ମାରିଥିଲା ବୋଲି କହିଥିଲା । ଯୌତୁକରେ ହୋଣ୍ଡା ସିଟି ଏବଂ ୧୦ଲକ୍ଷ ଟଙ୍କା ନ ନେଇଥିବାରୁ ତାକୁ ତା’ ସ୍ୱାମୀ ମାରୁଥିବା ସେ ମା’ଙ୍କୁ ଜଣାଇଥିଲା । ଏହି ଖବର ଜାଣିବାର କିଛି ସମୟ ହୋଇଛି କି ନାହିଁ, ଅପରାହ୍ନ ୩.୩୦ରେ ମୋ ଭଉଣୀ ଆଉ ଏ ଦୁନିଆରେ ନାହିଁ ବୋଲି ତା’ର ଶ୍ୱଶୁର ଫୋନ କରି ଜଣାଇଥିଲେ । ସୁମନ ଘରର ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି ବୋଲି ତା’ର ଶାଶୁଘର ଲୋକେ ଜଣାଇଥିଲେ । କିନ୍ତୁ ମୋ ଭଉଣୀ ଆତ୍ମହତ୍ୟା କରି ନାହିଁ । ତାକୁ ହତ୍ୟା କରାଯାଇ ଆତ୍ମହତ୍ୟାର ନାଁ ଦିଆଯାଇଛି ବୋଲି ସୁମନଙ୍କ ଭାଇ ପୁଲିସରେ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ମାର୍ଚ୍ଚ ୫,୨୦୧୮ରେ ସୁମନଙ୍କ ବିବାହ ଯମୁନାନଗରରେ ରହୁଥିବା ରବିଙ୍କ ସହ ହୋଇଥିଲା । ବିବାହ ଦିନ ଯୌତୁକ ବାବଦକୁ ରବିଙ୍କୁ ଅଲ୍ଟୋ କାର୍ ସହ ୩ଲକ୍ଷ ଟଙ୍କା ଦିଆ ଯାଇଥିଲା । ଯେଉଁଥିରେ ରବି ଖୁସି ନଥିଲେ । ରବି ଯୌତୁକରେ ହୋଣ୍ଡା ସିଟି କାର୍ ଏବଂ ୧୦ଲକ୍ଷ ଟଙ୍କା ନେବେ ବୋଲି ଭାବିଥିଲେ । ଯେଉଁଥି ପାଇଁ ସେ ସୁମନଙ୍କୁ ପ୍ରତିଦିନ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ବିବାହ ପରେ ସୁମନ ପ୍ରଥମ ଥର ପାଇଁ ଘରକୁ ବୁଲି ଆସିଥିବା ବେଳେ ପରିବାର ଲୋକେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଏ ବିଷୟରେ ଜାଣି ସେମାନେ ରବିଙ୍କୁ ବୁଝାଇବା ପରେ ଆଗକୁ ଏପରି ହେବ ନାହିଁ କହି ରବି ଏବଂ ତାଙ୍କ ବାପା ସୁମନଙ୍କୁ ନିଜ ଘରକୁ ନେଇ ଯାଇଥିଲେ । କିନ୍ତୁ ପରେ ସେମାନେ ସୁମନଙ୍କୁ ଆହୁରି ନିର୍ଯାତନା ଦେବାକୁ ଲାଗିଥିଲେ । ଯାହା ଫଳରେ ସୁମନ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଏ ନେଇ ଏବେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରକୃତ ଘଟଣା ସାମ୍ନାକୁ ଆସି ନାହିଁ ।