ବରଡିହା ଓ କଳମାରେ ଲେ‌ାକେ ରାତି ଅନିଦ୍ରା:୫୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିଲେ ହାତୀ

ଶହ ଶହ କ୍ୟୁଇଣ୍ଟାଲ ଧାନ ନଷ୍ଟ:ଭୟରେ ଘର ଛାଡ଼ିଲେ ଲୋ‌େକ

ପୋଲ ତଳେ ଆଶ୍ରୟ ନେଉଛନ୍ତି କ୍ଷତିଗ୍ରସ୍ତ

ଜଳେଶ୍ବର/ଓଲମରା: ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ୍ ଅଧୀନ  ବରଡିହା ଓ କଳମା ପଞ୍ଚାୟତର ବଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଦୀର୍ଘ ୬ ଦିନ ଧରି ଏହି ହାତୀପଲ ଯୋଗୁ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ଏହି ହାତୀପଲ ୫୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିଦେଇଥିବାରୁ ଜଙ୍ଗଲ ଆଖପାଖରେ ବସବାସ କରୁଥିବା ୩୦ରୁ ଊର୍ଦ୍ଧ୍ବ ପରିବାର ଭୟରେ ଘରଦ୍ବାର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ହାତୀ ଘଉଡ଼ାଇବା ଓ ହାତୀ ମୁକାବିଲା କ୍ଷେତ୍ରରେ ବନ ବିଭାଗର ଅପାରଗତାକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି। ବିଭାଗ ସମ‌େୟାଚିତ ପଦକ୍ଷେପ ନେଇଥିଲେ ହାତୀପଲକୁ ପଶ୍ଚିମବଙ୍ଗ ମୁହାଁ କରିବାରେ ସକ୍ଷମ ହୋଇଥାନ୍ତା ବୋଲି ଲୋ‌େକ କହିଛନ୍ତି। ଜଳେଶ୍ବର ଅଞ୍ଚଳରେ ଚଳିତ ବର୍ଷର ହାତୀ ଉପଦ୍ରବ ସବୁ ସୀମା ଟପିଛି। ଫଳରେ ବନାଞ୍ଚଳବାସୀ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି। ତେବେ ହାତୀ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ମିଳୁ ବୋଲି ଆଜି ସେମାନେ ଦାବି କରିଛନ୍ତି।

ଆମ୍ବତୁମ୍ବା, ରଙ୍ଗାମାଟିଆ, ବଣକାଟି, ଦୁଧିଆଶୋଳ ଆଦି ଗାଁରେ ହାତୀପଲ ୫୦ରୁ ଉର୍ଦ୍ଧ୍ବ ବାସଘର ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି। ଚାଷୀମାନେ ଅମଳ ପରେ ଖଳାରେ ଓ ଘରେ ରଖିଥିବା ଶହ ଶହ କ୍ୟୁଇଣ୍ଟାଲ ଧାନ ଖାଇବା ସହ ପାଦରେ ଦଳି ନଷ୍ଟ କରିଛନ୍ତି। ବଣକାଟି ଗ୍ରାମର ଇନ୍ଦ୍ରା ସିଂ ଙ୍କ ପତ୍ନୀ ସାରମଣିଙ୍କର ଗତ ୩ ଦିନ ତଳେ ମୃତ୍ୟୁ ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ହାତୀପଲ ତାଙ୍କ ଘରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଏପରିକି ସାରମଣୀଙ୍କ କର୍ମ ପାଇଁ ପୁଅମାନେ ରଖିଥିବା ୪୦ କ୍ୟୁଣ୍ଟାଲ ଧାନ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ଏହି ଧାନସବୁ ଆଜି ବିକ୍ରି ହୋଇଥାନ୍ତା। ସେହିପରି ଘରର ସମସ୍ତ ଆସବାବପତ୍ରପତ୍ର, ବାସନକୁସନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ନକୁଳ ସିଂଙ୍କର ମଧ୍ୟ ସେହି ସମାନ ଅବସ୍ଥା। ହାତୀପଲ ତାଙ୍କ ଘରର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିବା ବେଳେ ଘର ଭିତରେ ଥିବା ଏକ ମୋଟରସାଇକେଲ ଉପରେ କାନ୍ଥ ପଡ଼ି ତାହା ମଧ୍ୟ ଭାଙ୍ଗିଯାଇଛି। ନକୁଳଙ୍କର ୫୦ ବ୍ୟାଗ ଧାନକୁ ହାତୀପଲ ବୋହି ନେଇଥିବା ଜଣାପଡିଛି। ପହଲି ସିଂଙ୍କ ବାଡ଼ିରେ ଥିବା ଏକ ଏଲ୍‌ଆଇ ପଏଣ୍ଟର ମଧ୍ୟ ଚିହ୍ନବର୍ଣ୍ଣ ନାହିଁ। ଆମ୍ବତୁମ୍ବା ଗ୍ରାମର ଲକ୍ଷ୍ମୀନାରାୟଣ ହେମ୍ବ୍ରମ, ଲୁସୁ ହେମ୍ବ୍ରମ, ମୋହନ ହେମ୍ବ୍ରମ, ଲକ୍ଷଣ ହେମ୍ବ୍ରମ, ଗୁରଭା ହେମ୍ବ୍ରମ, ରବି ହେମ୍ବ୍ରମ, ସୁରପା ହେମ୍ବ୍ରମ, ପିନ୍ଦି ହେମ୍ବ୍ରମ, ଦୁର୍ଗା ସୋରେନ, ଶ୍ୟାମସୁନ୍ଦର ହାସଦା, ଗାଙ୍ଗୁ ଟୁଡୁ, ଲୁସା ହାସଦା, ସୁଦାମ ହାସଦା, ରଙ୍ଗାମାଟିଆ ଗ୍ରାମର ଟେମ୍ପା ସିଂ(କ), ମିସ୍ତ୍ରୀ ସିଂ, ଦୁଧିଆଶୂଳ ଗ୍ରାମର ସମୀର ବେହେରା ପ୍ରମୁଖ ହାତୀ ଯୋଗୁ କ୍ଷତିଗ୍ରସ୍ତ ହୋଇଛନ୍ତି।

ଏହି ହାତୀପଲ ଲୋକଙ୍କ ବାଡ଼ିରେ ହୋଇଥିବା କଦଳୀ ଚାଷ ମଧ୍ୟ  ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି। ଆମ୍ବତୁମ୍ବା ଜଙ୍ଗଲର ଅତି ନିକଟରେ ବାସ କରୁଥିବା ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପରିବାର ହାତୀ ଭୟରେ ଘରଦ୍ୱାର ଛାଡ଼ି ଆମ୍ବତୁମ୍ବା ନୂତନ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ସୁବର୍ଣ୍ଣରେଖା ଜଳସେଚନ ପକଳ୍ପର ନିର୍ମାଣାଧୀନ ପୋଲ ତଳେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ହାତୀପଲ ଗତକାଲି  ସନ୍ଧ୍ୟାରୁ ଜଙ୍ଗଲ ଭିତରୁ ଗାଁ ଆଡ଼କୁ ବାରମ୍ବାର ମାଡ଼ିଆସି ସାଧାରଣ ଲୋକଙ୍କୁ ଗୋଡାଉଛନ୍ତି। ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜୀବନ ଜୀବିକାକୁ ସୁରକ୍ଷା ଦେବା ପାଇଁ ସେମାନେ ସଂଘବଦ୍ଧ ଭାବେ ହାତୀକୁ ଘଉଡ଼ାଇବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଆଜି ଅପରାହ୍ନ ୨ଟା ସମୟରେ ଖ୍ୟାତନାମା ପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ, ଜଳେଶ୍ବର ରେଞ୍ଜର ଦେବେନ୍ଦ୍ର ନାଥ ପାତ୍ର ପ୍ରମୁଖ ଆମ୍ବତୁମ୍ବା ଗ୍ରାମ ନିକଟରେ ପହଞ୍ଚି ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି। ହାତୀ କେଉଁଆଡ଼କୁ ଯାଉଛି ସେ ସଂପର୍କରେ ଠଉରାଇବା ସହ ସାଧାରଣ ଲୋକଙ୍କୁ ହାତୀ ସହ ନ ଲାଗିବାକୁ, ଜଙ୍ଗଲର ଅତି ସନ୍ନିକଟରେ ଥିବା ଘରଗୁଡିକରେ ହାଣ୍ଡିଆ, ମହୁଲି ମଦ, ଧାନଚାଉଳ ଅନ୍ୟତ୍ର ରଖିବାକୁ ସଚେତନ କରିଛନ୍ତି। ସେହିପରି ଅବିଳମ୍ବେ କ୍ଷୟକ୍ଷତି ଆକଳନ ପାଇଁ ସ୍ଥାନୀୟ ଲୋକେ ଅଡ଼ି ବସିଥିବା ବେଳେ ବିଭାଗ ହାତୀ ନ ଯିବା ଯାଏ ତାହା ସମ୍ଭବ ନୁହେଁ କହିବା ସହ ଏଥିପାଇଁ ସମସ୍ତଙ୍କ ସହଯୋଗ ଦରକାର ବୋଲି ଲୋକଙ୍କୁ ବୁଝାଇଛି। ଅପରପକ୍ଷେ ବିଜେପି ନେତା ଧ୍ରୁବଚରଣ ନାୟକଙ୍କ ନେତୃତ୍ବରେ ଏକ ତିନିଜଣିଆ ଟିମ୍‌ ବରଡିହା ଓ କଳମା ପଞ୍ଚାୟତକୁ ଯାଇ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ବୁଝିଥିଲେ।

ସମ୍ବନ୍ଧିତ ଖବର