ବାଲେଶ୍ବରରେ ଆଲୋଡ଼ନ : ବଙ୍ଗୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ!

ଭୋଗରାଇ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ କୁମ୍ଭୀରଗଡ଼ି ପଞ୍ଚାୟତର କୁହ୍ଲି ଗ୍ରାମରୁ ଆଜି ସକାଳେ ଅସୁସ୍ଥ ଥିବା ଜଣେ ବଙ୍ଗୀୟ ନାବାଳିକାଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ତେବେ ନାବାଳିକା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ଅଭିଯୋଗ ଅନୁଯାୟୀ; ଗତ ଶୁକ୍ରବାର ସନ୍ଧ୍ୟାରେ କୁମ୍ଭୀରଗଡ଼ି ପଞ୍ଚାୟତର ଖଳାବାଡ଼ିଆ ଗ୍ରାମ ଲକ୍‌ ହାଟଠାରେ ଜଣେ ନାବାଳିକା ଏକୁଟିଆ ବୁଲୁଥିବା କିଛି ଲୋକେ ଦେଖିଥିଲେ। ପରେ ସ୍ଥାନୀୟ ଜ‌େଣ ଲୋକ ତାଙ୍କୁ ନିଜ ଘରେ ରାତିରେ ଆଶ୍ରୟ ଦେଇଥିଲେ। ସକାଳେ ତାଙ୍କ ଘରୁ ଯିବା ପରେ ସଂପୃକ୍ତ ନାବାଳିକା ନିକଟସ୍ଥ କୋହ୍ଲା ଗ୍ରାମରେ ବୁଲୁଥିବାର‌ୁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ସେମାନେ କାରଣ ପଚାରିବାରୁ ନାବାଳିକା କାନ୍ଦି କାନ୍ଦି ୪/୫ ଜଣ ବ୍ୟକ୍ତି ତାଙ୍କୁ ଦୁ‌ଷ୍କର୍ମ କରିଥିବା କହିଥିଲେ। ଫଳରେ ତାଙ୍କୁ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. କମଳାକାନ୍ତ ଜେନା ଭୋଗରାଇ ଥାନାକୁ ଖବର ଦେବା ପରେ ପୁଲିସ ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା। ପରେ ନାବାଳିକାଙ୍କ ଲିଖିତ ଅଭିଯୋଗ ପାଇ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କ ଘର ପଶ୍ଚିମବଙ୍ଗ ପୂର୍ବ-ମେଦିନୀପୁର ଜିଲ୍ଲା ରାମନଗର ଥାନା ଅନ୍ତର୍ଗତ ଏକ ଗ୍ରାମରେ ବୋଲି ଜାଣିପାରି ତାଙ୍କ ଘରେ ପହଞ୍ଚିଥିଲା। ସେଠାରୁ ନାବାଳିକାଙ୍କ ବାପାଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ନାବାଳିକା ବାପାଙ୍କ କହିବା ଅନୁଯାୟୀ, ୨୦୧୬ ମସିହାରୁ ନାବାଳିକା ଜଣକ ମାନସିକ ରୋଗରେ ପୀଡ଼ିତ ଅଛନ୍ତି।

ଅନ୍ୟପକ୍ଷରେ ପୁଲିସ ନାବାଳିକାଙ୍କ ଡାକ୍ତରୀମାଇନା ନକରି ବାପା ଜିମାରେ ଛାଡ଼ିଦେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଝିଅର ବୟାନରେ ତାରତମ୍ୟ ରହୁ ନ ଥିବା ବେଳେ ବାପାଙ୍କ ବୟାନ ସମଗ୍ର ଘଟଣାକୁ କୁହେଳିକା ଭିତରକୁ ଟାଣି ନେଇଯାଇଛି। ତେବେ ଅଭିଯୋଗ ଆଧାରରେ ପୁଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର