ନୀଳଗିରି: ଧାନରେ ମାଡ଼ିଲା ଚକଡ଼ା, ମୁଣ୍ତରେ ହାତ ଦେଇ ବସିଛନ୍ତି ଚାଷୀ

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି

ନୀଳଗିରି: ନୀଳଗିରି ବ୍ଲକ ଅଧୀନସ୍ଥ ଅଯୋଧ୍ୟା ପଞ୍ଚାୟତର  ଅଯୋଧ୍ୟା, ବାଡ଼ିଆ, ଜୁଣକୋଇଲି, ଗୋପାଳପୁର, ବାଲିପାଳ, ପ୍ରଭୃତି ଅଞ୍ଚଳରେ ୩୦ ଏକରରୁ ଊର୍ଧ୍ବ ଜମିରେ ଚକଡ଼ା ପୋକ ଲାଗିଛି। ବର୍ଷକର ଅମଳକୁ ହରାଇବା ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଚାଷୀମାନେ ସାହୁକାର, ହାତ ଉଧାରି, ସମବାୟ ସମିତି, ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ଋଣ କେମିତି ଶୁଝିବେ ଏବ˚ ପରିବାର ମୁହଁରେ କେମିତି ଆହାର ଗଣ୍ତେ ଦେବେ ଏ ନେଇ ଚିନ୍ତାରେ ପଡ଼ିଛନ୍ତି।

ଉକ୍ତ ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ସକାଳେ ସରପଞ୍ଚ ତାରିଣୀ ସି˚,ସମିତିସଭ୍ୟା ହରପ୍ରିୟା ପରିଡ଼ାଙ୍କୁ ସାକ୍ଷାତ କରି ନିଜର ଗୁହାରି ଜଣାଇବା ସହିତ ସରକାରୀ ସହାୟତା କିପରି ମିଳିପାରିବ ସେ ନେଇ ନିବେଦନ କରିଥିଲେ। ଉକ୍ତ ୨ ଜନପ୍ରତିନିଧି ଚାଷୀଙ୍କୁ ଧରି ନୀଳଗିରି କୃଷି ଅଧିକାରୀ ସନାତନ ପ୍ରଧାନଙ୍କୁ ଭେଟିଥିଲେ। ଶ୍ରୀ ପ୍ରଧାନ ତାଙ୍କ ହାତରେ କିଛି ନାହିଁ ବର˚ ଜିଲ୍ଲା କୃଷି ଅଧିକାରୀଙ୍କୁ ଭେଟିବାକୁ କହିଥିଲେ। ସରପଞ୍ଚ, ସମିତିସଭ୍ୟା ଓ ଚାଷୀ ନିରୁପାୟ ହୋଇ ନିଜର ଗୁହାରି ଜିଲ୍ଲା କୃଷି ଅଧିକାରୀଙ୍କୁ ଜଣାଇଥିଲେ। ମାତ୍ର ଜିଲ୍ଲା କୃଷି ଅଧିକାରୀ ଘଟଣା ସମାଧାନ ନ କରି ସେମାନଙ୍କୁ ତହସିଲଦାରଙ୍କ ନିକଟକୁ ପଠାଇଥିଲେ। ପରେ ସରପଞ୍ଚ ଓ ସମିତିସଭ୍ୟା ତହସିଲଦାର ଓ ଅତିରିକ୍ତ ତହସିଲଦାରକୁ ନ ପାଇ ନିରାଶରେ ଘରକୁ ଫେରିଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଯଦି କୃଷି ଅଧିକାରୀ ଉକ୍ତ ଘଟଣାକୁ ଗୁରୁତ୍ବ ସହ ବିଚାର ନ କରନ୍ତି ତାହେଲେ ଆଗାମୀ ଦିନରେ ବିରାଟ ଜନଆନ୍ଦୋଳନ କରାଯିବ ବୋଲି କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଜଗନ୍ନାଥ ଦାସ, ସନ୍ତୋଷ ମହାନ୍ତି, ହେମେନ୍ଦ୍ର ରାଜ, ଦିଗମ୍ବର ମହାପାତ୍ର, ବାବାଜୀ ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି। ଘଟଣା ସ˚ପର୍କରେ କୃଷି ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ଘଟଣା ବିଷୟରେ ଅବଗତ ଅଛନ୍ତି ଓ ତଦନ୍ତ କରି ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି। ଅପରପକ୍ଷରେ ବିଭାଗୀୟ ଅଧିକାରୀଙ୍କର ଏପରି ଖାମଖିଆଲି ନୀତି ପାଇଁ ସରପଞ୍ଚ, ସମିତିସଭ୍ୟ କ୍ଷୋଭ ପ୍ରକାଶ କରିବା ସହିତ ଚାଷୀମାନଙ୍କ ସ୍ବାର୍ଥ ପାଇଁ ଆସନ୍ତାକାଲି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର