୩ ଦିନ ହେଲା ଅନ୍ଧାରରେ:ସରଣ୍ଡାପାଲିରେ ରାସ୍ତାରୋକ

ବରଗଡ଼: କ୍ରମାଗତ ତିନି ଦିନ ଧରି ବିଦ୍ୟୁତ ସେବା ଠପ୍‌ ରହିବା ପରେ ଅତିଷ୍ଠ ବରପାଲି ବ୍ଲକ ସରଣ୍ଡାପାଲି ଏବଂ ଏସ୍‌.ଡୁମ୍ବେରପାଲି ଗ୍ରାମବାସୀ ତାତି ଉଠିଛନ୍ତି। ଏହି ଦୁଇଟି ଗାଁ ସମେତ ଆଖପାଖର ଲୋକେ ବୁଧବାର ସଂଧ୍ୟାରେ ସରଣ୍ଡାପାଲିରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ଶତାଧିକ ଗାଡ଼ି ଅଟକି ରହିଥିଲା। ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା, ପାଖ ଗାଁରେ ବିଜୁଳି ଥିଲେ ହେଁ ସରଣ୍ଡାପାଲି ୩ଦିନ ହେଲା ଅନ୍ଧାର ଘେରରେ ରହିଛି। ଏଠାରେ ଗ୍ରିଡ୍‌ ଥିଲେ ମଧ୍ୟ ତାହା ଚାର୍ଜ କରାଯାଉନାହିଁ। ଏଣେ ପ୍ରବଳ ଗରମ, ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି।

ବିଜୁଳି ନଥିବାରୁ ପମ୍ପ ଅଚଳ, ପାଣି ଉଠୁନାହିଁ। ଫଳରେ ବହୁ ଲୋକଙ୍କ ଘରେ ରୋଷେଇ ହୋଇନାହିଁ। ମୋବାଇଲ୍‌ ମଧ୍ୟ ଠପ୍‌ ରହିଛି। ପ୍ରଚଣ୍ଡ ଗରମରେ ଛୋଟ ପିଲାଙ୍କ ଦେହ ବିଗିଡ଼ି ଯାଉଛି। ତେଣୁ ପ୍ରତିବାଦରେ ଲୋକେ ସିଧା ରାସ୍ତା ଉପରକୁ ଉଠି ଆସିଥିଲେ। ବିଭାଗୀୟ ଏସ୍‌ଡିଓ ଆସି ଲାଇନ୍‌ ଚାର୍ଜ ନକରିବା ଯାଏଁ ରାସ୍ତାରୋକ ହଟିବ ନାହିଁ ବୋଲି ଗ୍ରାମବାସୀ ରୋକଠୋକ୍‌ ଶୁଣାଇ ଦେଇଥିଲେ। ଏଥିସହ ସ୍ଥାନୀୟ ବିଦ୍ୟୁତ କର୍ମଚାରୀମାନଙ୍କ ବଦଳି ଦାବି କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍‌ ଉପସ୍ଥିତ ଥିଲେ ହେଁ ଖବର ଲେଖାଯିବା ଯାଏଁ ରାସ୍ତାରୋକ ଜାରି ରହିଥିଲା।
ଅନ୍ୟପକ୍ଷରେ ନିର୍ବାହୀ ଯନ୍ତ୍ରୀ (ପଶ୍ଚିମ) ଡାନିଏଲ୍‌ ପରିଜା ପ୍ରତିକ୍ରିୟାରେ କହିଛନ୍ତି, ଗତକାଲି ଝଡ଼ବର୍ଷା ପରେ ୪୨ଟି ଖୁଣ୍ଟ ଭାଂଗି ପଡ଼ିଥିଲା। ଏଥିରୁ ଇତିମଧ୍ୟରେ ୩୩ଟିର ମରାମତି ସରିଛି। ଗ୍ରାମବାସୀ କର୍ମଚାରୀମାନଙ୍କୁ ଗ୍ରିଡ୍‌ ଭିତରକୁ ଛାଡ଼ିଲେ ୧୧କେଭି ଚାର୍ଜ କରାଯିବ। ରାତିରେ ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର