ନିର୍ଦ୍ଦେଶର ୨୦ ଦିନ ପରେ ବି ତଦନ୍ତ ହେଉନି

କଣ୍ଟାମାଳ ବିଇଓଙ୍କ ବିରୋଧରେ ଅନିୟିତତା ଅଭିଯୋଗ

ବୌଦ୍ଧ: କଂଟାମାଳ ବିଇଓ ବୈକୁଣ୍ଠ ମାଝୀଙ୍କ ବିରୋଧରେ କଂଟାମାଳ ଅଂଚଳର କିଛି ଶିକ୍ଷକ ଓ ବୁଦ୍ଧିଜୀବୀ ବିଭିନ୍ନ ପ୍ରକାର ଅନିୟମିତତା ଅଭିଯୋଗ କରିଥିଲେ। ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଗଣଶିକ୍ଷା ବିଭାଗ ନିର୍ଦେଶକ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ, ବିଇଓ ଶ୍ରୀ ମାଝୀ ବହୁ ଦିନ ହେଲା କଂଟାମାଳ ବ୍ଲକ୍‌ରେ ରହି ଆସିଛନ୍ତି। ତାଙ୍କ ନିଜ ଘର ଏହି ବ୍ଲକ୍‌ରେ ହୋଇଥିବା ବେଳେ ଏଠାରେ ସେ ଶିକ୍ଷକ, ସିଆରସିସି, ବିଆରସିସି, ଏବିଇଓ ଓ ଏବେ ବିଇଓ ହୋଇଛନ୍ତି। ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଥାପି ଶ୍ରୀ ମାଝୀ ନିରବଦ୍ରଷ୍ଟା। ବ୍ଲକ୍‌ର ୪ ଶହ ଶିକ୍ଷକଙ୍କ ସଂଶୋଧିତ ବେତନ ଲାଗୁ ହୋଇ ପାରି ନାହିଁ। ଶିକ୍ଷକମାନେ ସବୁ ପ୍ରକାର ଆନୁସଙ୍ଗିକ କାଗଜ ପତ୍ର ଦେଇସାରିଥିଲେ ମଧ୍ୟ ବିଇଓ ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଅବସର ଗ୍ରହଣ କରିଥିବା ୧୨ ଜଣ ଶିକ୍ଷକଙ୍କୁ ପେନସନ ମିଳିପାରୁ ନାହିଁ।

ସେମାନେ ବାରମ୍ବାର ବିଇଓଙ୍କ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ସେମାନଙ୍କ କାମ ହେଉନଥିବାରୁ ଅତି ଦୟନୀୟ ଜୀବନ ବଂଚୁଛନ୍ତି। ଏହି ବ୍ଲକ୍‌ରେ ତିନିବର୍ଷ ହେଲା ଶିକ୍ଷକ ନିଯୁକ୍ତି ହୋଇ ପାରୁ ନାହିଁ। ୧୫ ଜଣ ମୃତ ଶିକ୍ଷକଙ୍କ ଫାଇନାଲ ଜିପିଏଫ ୨୦୧୪ ମସିହାରୁ ବିଇଓଙ୍କ କାର୍ଯ୍ୟାଳୟରେ ପଡି ରହିଛି। ଏଭଳି ଅଭିଯୋଗମାନ ଆଣି ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଏହାର କିଛି ସମାଧାନ ନକରିବାରୁ କେତେଜଣ ଶିକ୍ଷକ ଗଣଶିକ୍ଷା ବିଭାଗ ସଚିବ ଓ ନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହାପରେ ଜିଲ୍ଲା ଶିକ୍ଷାଧିକାରୀ ୧୭.୧୧.୧୭ରେ ଶ୍ରୀ ମାଝୀଙ୍କୁ ନିଲମ୍ବନ କରିବା ପାଇଁ ଗଣଶିକ୍ଷା ବିଭାଗକୁ ପତ୍ର ଲେଖିଥିଲେ। ଗଣଶିକ୍ଷା ବିଭାଗ ନିର୍ଦେଶକ ୨୯.୧୨.୧୭ରେ ଶ୍ରୀ ମାଝୀଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି। ମାତ୍ର ଆଜି ସୁଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ବିଷୟରେ ବିଇଓ ଶ୍ରୀ ମାଝୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଆଦୌ ସତ ନୁହେଁ ବୋଲି କହିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶିବଶଙ୍କର ପ୍ରଧାନଙ୍କୁ ନିର୍ଦେଶକଙ୍କ ନିର୍ଦେଶ ସମ୍ପର୍କରେ ପଚାରିବାରୁ ତାଙ୍କ ପାଖକୁ କିଛି ଚିଠି ଆସି ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର