ଲୁଟୁଛନ୍ତି ମାଫିଆ, ବୌଦ୍ଧବାସୀ ଜଳକା

ଫାଇନାନ୍ସ କମ୍ପାନି କର୍ମଚାରୀଙ୍କ ଠାରୁ ୯୯ ହଜାର ଲୁଟିନେଲେ

ବୌଦ୍ଧ: ବୌଦ୍ଧ ଜିଲ୍ଲାକୁ ପ୍ରକୃତିର ଦାନ ଅତୁଳନୀୟ। ବଣ ଜଙ୍ଗଲର ପ୍ରାକୃତିକ ସଂପଦ, ମୂଲ୍ୟବାନ ଔଷଧୀୟ ବୃକ୍ଷରାଜି, ଚିରସ୍ରୋତା ମହାନଦୀ ଆଦି ପ୍ରାକୃତିକ ସଂପଦରେ ବୌଦ୍ଧ ବେଶ ବିଭବଶାଳୀ ହୋଇ ରହିଛି। ପ୍ରକୃତି ମାଟି ଉପରେ ଯେତିକି ସଂପଦ ଭରି ଦେଇଛି ମାଟି ତଳେ ମଧ୍ୟ ସେତିକି ସଂପଦ ଲୁକ୍କାୟିତ କରି ରଖିଛି। ମାତ୍ର ଏହି ମାଟି ତଳର ସଂପଦ ଆଉ ସୁରକ୍ଷିତ ହୋଇ ରହି ନାହିଁ ବରଂ ଏହି ଅମୂଲ୍ୟ ସଂପଦ ଉପରେ ଜିଲ୍ଲା ବାହାର ଲୋକଙ୍କ ଲୋଲୁପ ଦୃଷ୍ଟି ପଡ଼ି ଏବେ କୋଟି କୋଟି ଟଙ୍କାର ସଂପତ୍ତି ବାହାରକୁ ଚାଲାଣ ହେଉଛି। ବୌଦ୍ଧ ଜିଲ୍ଲାରେ ଶହେ କିମିରୁ ଅଧିକ ମହାନଦୀ ପ୍ରବାହିତ ହେଉଛି। ମହାନଦୀରେ ପୂର୍ବରୁ ଜଳ ପ୍ରବାହ ପୂର୍ଣ୍ଣ ମାତ୍ରାରେ ହେଉଥିଲା। ମାତ୍ର ଏବେ ମହାନଦୀ କ୍ଷୀଣକାୟା ହୋଇ ପ୍ରବାହିତ ହେଉଛି। ମହାନଦୀରେ ଜଳ ପ୍ରବାହ କମି ଯାଇଥିବା ବେଳେ ଏହା ସାଧାରଣ ଲୋକଙ୍କୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ୟପକ୍ଷରେ ଏହା କିଛି ପଥର ଖୋଳାଳିଙ୍କୁ ବେଶ ସୁହାଉଛି। ବୌଦ୍ଧ ଅଂଚଳରେ ୧୯୮୨ ମସିହାରେ ମହାନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ନଦୀର କଳେବରରେ ଏକ ବିରାଟ ପରିବର୍ତ୍ତନ ହେଲା। ମହାନଦୀରେ ବାଲିର ଆସ୍ତରଣ ଅଧିକ ପରିମାଣରେ ପଡ଼ିବା ପରେ କାଁ ଭାଁ ନଦୀ ଭିତରୁ ମୂଲ୍ୟବାନ ପଥର କିଛି ଲୋକଙ୍କୁ ମିଳିଲା।

ଏହି ପଥର ସବୁ ହୀରା ଜାତୀୟ ପଥର ବୋଲି ଜଣାପଡ଼ିବା ପରେ ମହାନଦୀରେ ପଥର ଖୋଜା ବ୍ୟାପକ ଭାବେ ବଢ଼ି ଚାଲିଲା। ପୂର୍ବରୁ ମହାନଦୀରେ ଜଳ ପୂରି ରହିବା ଯୋଗୁଁ ପଥର ଖୋଜା କାମ ଟିକିଏ ମନ୍ଥର ଗତିରେ ଚାଲିଥିଲା। ମାତ୍ର ଏବେ ମହାନଦୀ ଶଯ୍ୟା ଟାଙ୍ଗରା ଭୂଇଁ ହୋଇ ଯାଇଥିବାରୁ ପଥର ଖୋଜିବା କାମ ବେଶ୍‌ ଜୋରସୋରରେ ଚାଲିଛି। ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ମଧ୍ୟ ହୋଇଛି। ବୌଦ୍ଧର ମହାନଦୀ ଅଂଚଳରେ ବହୁ ଦିନ ହେଲା ନିରବଚ୍ଛିନ୍ନ ଭାବେ ମୂଲ୍ୟବାନ ପଥର ମିଳୁଥିଲେ ମଧ୍ୟ ଏନେଇ ସରକାରଙ୍କ କିଛି ଦୃଷ୍ଟି ପଡୁ ନାହିଁ। ମହାନଦୀ ବକ୍ଷରୁ ପଥର ଉତ୍ତୋଳନ କରି ଜିଲ୍ଲାର ଅଧିବାସୀ କିଛି ଉପକୃତ ହେଉ ନାହାନ୍ତି। ବରଂ ବାହାର ଜିଲ୍ଲାର ଏପରିକିି ବାହାର ରାଜ୍ୟର ବ୍ୟବସାୟୀମାନେ ଏହି ପଥର କାରବାରରେ ବେଶ୍‌ ଲାଭବାନ ହେଉଛନ୍ତି। ମହାନଦୀର ତଳମୁଣ୍ଡରେ ପଥର ଖୋଜିବା କାମ ଏକ କୁଟୀର ଶିଳ୍ପ ଭାବେ କାମ କରୁଛି। ପଥର ଖୋଜିବା କାମରେ କିଛି ନିର୍ଦ୍ଦିଷ୍ଟ ପରିବାର ନିୟମିତ ଭାବେ ନିୟୋଜିତ ହୋଇଛନ୍ତି ଏବଂ ମୂଲ୍ୟବାନ ପଥର ପାଇଗଲେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି।

ମହାନଦୀ ପଠାରେ ଏହି ପଥର କାରବାର ନିୟମିତ ଭାବେ ଚାଲୁଥିଲେ ମଧ୍ୟ ଏହାର ସୁଫଳ ବୌଦ୍ଧବାସୀ ପାଉ ନାହାନ୍ତି। କେବଳ କିଛି ପାରିଶ୍ରମିକ ନେଇ ପଥର ଖୋଜିବା କାମରେ ଲାଗିଥିବା ଶ୍ରମିକମାନେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ମାଟି ତଳେ ହୀରାର ସାମ୍ରଜ୍ୟ ଥିଲେ ମଧ୍ୟ ଜିଲ୍ଲାର ପ୍ରଜା କିଛି ବି ଲାଭ ପାଉ ନାହାନ୍ତି। ଏହା ଉପରେ ସରକାରଙ୍କ ମଧ୍ୟ କିଛି ଅଙ୍କୁଶ ରହୁ ନାହିଁ। ଏନେଇ ବୌଦ୍ଧ ତହସିଲଦାର ହରପ୍ରାସାଦ ଭୋଇଙ୍କୁ ପଚାରିବାରୁ ସେ କହିଥିଲେ ଯେ ମହାନଦୀରେ ପଥର ଖୋଜିବା କାମ ନେଇ ତାଙ୍କ ପାଖରେ କିଛି ସୂଚନା ନାହିଁ। ମହାନଦୀ ଗର୍ଭରୁ ମିଳୁଥିବା ଅତି ମୂଲ୍ୟବାନ ପଥର ସବୁ କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ପଡୁଛି ଓ ସେମାନେ ବିତ୍ତଶାଳୀ ହେଉଛନ୍ତି। ଏହି କାରବାର ସୂଂପର୍ଣ୍ଣ ବେସରକାରୀ ସ୍ତରରେ ଚାଲିଛି। ଯଦି ଏହାକୁ ବ୍ୟବସ୍ଥିତ ଢଙ୍ଗରେ କରାଯାଇ ପାରନ୍ତା ଓ ସରକାରଙ୍କ ଅଙ୍କୁଶ ରହନ୍ତା ତାହେଲେ ସାମଗ୍ରୀକ ଭାବେ ଏହି ଦୁର୍ମୂଲ୍ୟ ପଥର କାରବାରରେ ଜିଲ୍ଲାବାସୀ ଉପକୃତ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର