ଯାଜପୁର: ଯାଜପୁର କଂଗ୍ରେସ ରାଜନୀତି ଗୋଳିଆ ହେବାରେ ଲାଗିଛି। ଯାଜପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ କାହାକୁ ମିଳିବ ସେ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଜୋର ଧରିଥିଲା। ଶେଷରେ ଆଶାୟୀ ପ୍ରାର୍ଥୀଙ୍କୁ ନିରାଶ କରି ଗତ ଥର ଯାଜପୁରରୁ ହାରିଥିବା ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦଙ୍କୁ ଏଠାରେ ଦଳ ଟିକେଟ ଦେଇଛି। ଏହା ଫଳରେ ସଂଗଠନ ମଜୁବତ କରିଥିବା ଏବଂ ବିରୋଧୀଙ୍କୁ କଡା ଜବାବ ଦେବାକୁ ପ୍ରସ୍ତୁତ ହୋଇଥିବା ଆଶାୟୀ ପ୍ରାର୍ଥୀ ପୁଲିନ ପ୍ରକାଶ ପୁହାଣଙ୍କୁ ନିରାଶ କରିଛି, ଯାହାକୁ ନେଇ ଚାରିଆଡେ ବିରୋଧ ସ୍ୱର ଶୁଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯାଜପୁର ବିଧାନସଭା ଆସନରେ ଗତ ଥର ସନ୍ତୋଷ କୁମାର ନନ୍ଦ ବହୁ ଭୋଟ ବ୍ୟବଧାନରେ ତାଙ୍କର ପ୍ରତିଦ୍ୱନ୍ଦୀ ବିଜେଡ଼ିର ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ନିର୍ବାଚନ ହାରିଥିଲେ। ତା’ପର ଠାରୁ କଂଗ୍ରେସ ଏଆଇସିସି ସଭ୍ୟ ପୁଲିନ ପ୍ରକାଶ ପୁହାଣ କଂଗ୍ରେସରୁ ପ୍ରାର୍ଥୀ ହେବା ଆଶା ନେଇ ଦଳର ସାଙ୍ଗଠନିକ କାର୍ଯ୍ୟକୁ ବ୍ୟାପକ କରିବା ଆରମ୍ଭ କରିଥିଲେ। ଯାଜପୁର ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ସଂଗଠନ ତିଆରି କରି ଦଳକୁ ମଜବୁତ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କୁ ଶେଷରେ ପ୍ରାର୍ଥୀ କରାନଯାଇ ଅମାନତ ପରାଜୟ ବରଣ କରିଥିବା ସନ୍ତୋଷ ନନ୍ଦଙ୍କୁ ଦଳ ପ୍ରାର୍ଥୀ କରିଛି, ଯାହାକୁ ନେଇ ପୁଲିନଙ୍କ ସମର୍ଥକମାନେ ଏବେ ବିଦ୍ରୋହର ସ୍ୱର ଉଠାଇଛନ୍ତି।
ରାମବାଗ ଠାରେ ପୁଲିନଙ୍କ ସମର୍ଥକମାନେ ଶନିବାର ଏକ ବିରାଟ ସଭାର ଆୟୋଜନ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବା ସହ କଂଗ୍ରେସ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ କରି ପୁଲିନଙ୍କୁ ପୁନର୍ବାର ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ପୁଲିନ ଅଳ୍ପ ଦିନ ମଧ୍ୟରେ ବ୍ୟାପକ ଜନ ସମର୍ଥନ ପାଇଥିବା ବେଳେ ତାଙ୍କୁ ପ୍ରାର୍ଥୀ କରାନଯିବା ଏକ ପାତରଅନ୍ତର ବୋଲି ସେ କହିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଥର ପରାଜୟ ବରଣ କରିଥିବା ପ୍ରାର୍ଥୀଙ୍କୁ ସୁଯୋଗ ମିଳିବ ନାହିଁ ବୋଲି ଘୋଷଣା କରିଥିଲେ ମଧ୍ୟ ତାଙ୍କ ଘୋଷଣା ପାଣିର ଗାର ପାଲଟିଛି। ପିସିସି ସଠିକ ଭାବେ ପ୍ରାର୍ଥୀ ଚୟନ କରିନଥିବା ପୁଲିନ ଅଭିଯୋଗ କରି ଏହାର ପୁନଃ ବିଚାର ପାଇଁ ଦାବି କରିଛନ୍ତି। ନଚେତ ସେ ସମର୍ଥକଙ୍କୁ ସମ୍ନାନ ଜଣାଇ ସ୍ୱାଧିନ ଭାବେ ର୍ନିବାଚନ ଲିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ଦେଇଛନ୍ତି।