କ‌ରୋନାରେ କାର୍ତ୍ତିକ-ପ୍ରଫୁଲଙ୍କ କରୁଣ କାହାଣୀ: ହଜିଯାଇଛି ବୃତ୍ତି, ସରିଗଲାଣି ସଞ୍ଚିତ ଅର୍ଥ

ମିଳିନି କୌଣସି ସରକାରୀ ସହାୟତା

ବାରିପଦା(ରାଜକିଶୋର ଦାଶ): ଛୋଟ ଜଳଖିଆ ଦୋକାନ କରି ନିଜ ସଂସାର ଚଳାନ୍ତି। ମାତ୍ର କରୋନା ଛଡ଼େଇ ନେଇଛି ବୃତ୍ତି। ଯେଉଁ କିଛି ସଞ୍ଚିତ ଅର୍ଥ ଥିଲା ତାହା ମଧ୍ୟ ସରିବାକୁ ବସିଲାଣି। ଏଭଳି ସମୟରେ ନିଜ ପରିବାର ପ୍ରତ‌ିପୋଷଣ ନେଇ ଚିନ୍ତାରେ ଅଛନ୍ତି କାର୍ତ୍ତିକ ଓ ପ୍ରଫୁଲ। ବାରିପଦାରେ ରହି ଦୀର୍ଘ ୧୨ ବର୍ଷ ହେବ ଛୋଟିଆ ଜଳଖିଆ ଦୋକାନ କରି ପେଟ ପୋଷୁଛନ୍ତି କାର୍ତ୍ତିକ ପୋଥାଳ।

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ରୁ ଆସି ବାରିପଦାରେ ନିଜ ପତ୍ନୀ ଓ ସନ୍ତାନ ସହିତ ରହୁଛନ୍ତି। କୃଷ୍ଣଚନ୍ଦ୍ର ଗୋଲେଇ ନିକଟସ୍ଥ ଜୀବନଦୀପ ହସ୍‌ପିଟାଲ ଆଗରେ ନିଜର ଏକ ଜଳଖିଆ ଦୋକାନ ଥିଲା ତାଙ୍କର ଜୀବିକା ଅର୍ଜନର ମାଧ୍ୟମ। ମାତ୍ର ଲକ୍‌ଡାଉନ ଆରମ୍ଭରୁ ଦୋକାନ ବନ୍ଦ ରହିଛି। ତେଣୁ ରୋଜଗାରର ଏକମାତ୍ର ମାଧ୍ୟମ ବନ୍ଦ ହୋଇଯାଇଛି।

ଛୋଟିଆ ଦୋକାନରୁ ଦିନକୁ ଯାହା ଆୟ ହୁଏ ସେଥିରେ ୩ପ୍ରାଣୀ କୁଟମ୍ବ ଚଳେ। ମାତ୍ର ଏହି କରୋନାରୁ ହୋଇଥିବା ଲକ୍‌ଡାଉନ ବଞ୍ଚିବାର ରାହା ଛଡ଼େଇନେଇଥିବା ଦୁଃଖରେ କହିଛନ୍ତି କାର୍ତ୍ତିକ। ଯାହା ଯେତିକି ସାଇତା ଅର୍ଥ ଥିଲା ତାହା ସରିଆସିଲାଣି। ଆହୁରି ୧୫ଦିନ ଲକ୍‌ଡାଉନ ବଢ଼ିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏକଥା ଶୁଣି ଛାତିରେ ଛନକା ପଶିଥିବା କୁହନ୍ତି କାର୍ତ୍ତିକ। କାରଣ ସେପର୍ଯ୍ୟନ୍ତ ତାଙ୍କ ଦୋକାନ ବନ୍ଦ ରହିଲେ ପରିବାର କଣ ଖାଇବ କିପରି ଚଳିବ ସେକଥା ଭାବିବାବେଳକୁ ମୁଣ୍ଡ କଣ ହେଇଯାଉଥିବା କୁହନ୍ତି ସେ। ସରକାର ରାସ୍ତାକଡ଼ ଦୋକାନୀଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି। ମାତ୍ର ପ୍ରାୟ ୧୨ବର୍ଷ ହେବ ସେ ବାରିପଦାରେ ଦୋକାନ କରିଥିଲେ ମଧ୍ୟ ତାଙ୍କ ନାମ ସେ ସୂଚୀରେ ନାହିଁ।

ସେହିପରି ଆଉ ଜଣେ ଜଳଖିଆ ଦୋକାନୀ ହେଉଛନ୍ତି ପ୍ରଫୁଲ ସାହୁ। ଯାଜପୁର କୋରେଇ ନୁଆପଡ଼ାରୁ ଆସି ବାରିପଦାରେ ପ୍ରାୟ ୨୦ବର୍ଷ ହେବ ବେପାର କରୁଛନ୍ତି ପ୍ରଫୁଲ। ଉଦଳା ରୋଡରେ ଏକ ଜଳଖିଆ ଦୋକାନ କରିଥିବା ପ୍ରଫୁଲଙ୍କର ମଧ୍ୟ ସମାନ ଦଶା। ଦୋକାନ ବନ୍ଦ କାରଣରୁ ଆର୍ଥିକ ସଙ୍କଟରେ ଅଛନ୍ତି ସେ। କିପରି ନିଜର ୪ପ୍ରାଣୀ କୁଟମ୍ବକୁ ଖାଇବାକୁ ଦେବେ ସେନେଇ ଚିନ୍ତାରେ ଅଛନ୍ତି ପ୍ରଫୁଲ। ଦୀର୍ଘ ବର୍ଷ ହେବ ବାରିପଦାରେ ବେପାର କରୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କ ନାମ ଉଠାଦୋକାନୀଙ୍କୁ ମିଳିବାକୁ ଥିବା ସହାୟତା ରାଶି ସୂଚୀରେ ନାହିଁ। ସରକାରୀ ସହାୟତା ନମିଳିଲେ ତାଙ୍କ ପରି ବାରିପଦାରେ ଥିବା ଅନେକ ଛୋଟ ଛୋଟ ରାସ୍ତାକଡ଼ ଦୋକାନୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ବୋଲି ଦୁଃଖରେ ପ୍ରକାଶ କରିଛନ୍ତି ପ୍ରଫୁଲ। ଉଭୟ କାର୍ତ୍ତିକ ଓ ପ୍ରଫୁଲ ବାରିପଦାରେ ଘରଭଡ଼ା ନେଇ ରହୁଛନ୍ତି। ତେଣୁ ଆୟ ଶୂନକୁ ଖର୍ଚ୍ଚ ବଳିଯାଉଥିବା କହିଛନ୍ତି ସେମାନେ।

ବାରିପଦା ସଂସ୍କୃତ ଶିକ୍ଷାନୁଷ୍ଠାନ ନିକଟରେ ‌ଚାଟ୍‌ ଓ ଗୁପଚୁପ୍‌ ଦୋକାନ କରିଥିବା ପଞ୍ଚାନନ ହାତି ଓରଫ୍‌ ପଞ୍ଚୁଭାଇ ମଧ୍ୟ ଲକ୍‌ଡାଉନ କାରଣରୁ ଆର୍ଥିକ ଦୁଃସ୍ଥିତିରେ ଅଛନ୍ତି। କେବଳ ଡାଲି ଆଳୁ ଖାଇ ପରିବାର ବଞ୍ଚୁଥିବା କହିଛନ୍ତି ସେ। ବାରିପଦା ସହରର ଜଣାଶୁଣା ଚାଟ୍‌ ଦୋକାନୀ ପଞ୍ଚୁ ଭାଇ ମଧ୍ୟ କରୋନା କାରଣୁ ବେଶ୍‌ ପ୍ରଭାବିତ ହୋଇଛନ୍ତି। ବାରିପଦା ପ‌ୌରାଞ୍ଚଳ ଅଧିନରେ ୭୩୦ ଜଣ ଷ୍ଟ୍ରିଟ୍‌ ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଏହି ଦୋକାନୀଙ୍କ ଆକାଉଣ୍ଟ୍‌କୁ ସିଧାସଳଖ  ୩ହଜାର ଟଙ୍କା ଲେଖାଏଁ ଯିବାର ବ୍ୟବସ୍ଥା ହୋଇଥିବା ବାରିପଦା ପୌରପରିଷଦ ପକ୍ଷରୁ ଜଣାପଡ଼ିଛି। ମାତ୍ର ଏହି ସହାୟତା ପାଇବାରୁ ବଞ୍ଚିତ ହୋଇଥିବା କାର୍ତ୍ତିକ ଏବଂ ପ୍ରଫୁଲଙ୍କ ଭଳି ଅନେକ କ୍ଷୁଦ୍ର ବ୍ୟବସାୟୀଙ୍କ ଭବିଷ୍ୟତ କଣ ହେବ ସେନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର