କାଲକାଠ ଗାଁରେ ହାତୀ ଉପଦ୍ରବ, ୪ ଘର ଭାଙ୍ଗିଲେ:ଗ୍ରାମବାସୀ ଆତଙ୍କିତ, ଖୋଲା ଆକାଶ ତଳେ ବିପନ୍ନ

ଦେବଗଡ଼: ଦେବଗଡ଼ ଜିଲ୍ଲାର ଖୁଣ୍ଟିଆପାଲି, ବାସୁଦେବପୁର ଓ ସୁଗୁଡ଼ା ଅଞ୍ଚଳରେ ବୁଧୁବାର ରାତି ହାତୀ ପଲ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଖଳାରେ ଥିବା ଧାନଗୁଡିକ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଏହା ସହିତ ଚାଷୀମାନେ କରିଥିବା ସୂର୍ଯ୍ୟମୁଖୀ, ସୋରିଷ ଓ ତରଭୁଜ ଫସଲ ବି ଦଳି ମକଚି ନଷ୍ଟ କରି ଦେଇଥିବା ବେଳେ ପୁନଶ୍ଚ ଗୁରୁବାର ରାତିରେ ବାରକୋଟ ବ୍ଲକ୍‌ ବସାଲଇ ପଞ୍ଚାୟତର କଲାକାଠ ଗ୍ରାମରେ ବି ଉପଦ୍ରବ ଦେଖିବାକୁ ମିଳିଥିଲା। ଗାଁର କିଷାନ ସାହିରେ ପଶି ୪ଟି ଭାଙ୍ଗି ଦେଇଥିବା ବେଳେ ଆଗରୁ ସୂଚନା ପାଇଥିଲେ ବି ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନ କରି ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି। ପୁନଶ୍ଚ ବିପନ୍ନଙ୍କୁ ଏ ପର୍ଯ୍ୟନ୍ତ କୌଣସି ସହାୟତା ଯୋଗାଇ ଦିଆଯାଇ ନଥିବାରୁ ଖୋଲା ଆକାଶ ତଳେ ଶୀତ କାକରରେ ପରିବାର ସହ ସେମାନେ ପଡ଼ି ରହିଥିବା ଜଣାପଡ଼ିଛି।

ଦେବଗଡ଼ ବନଖଣ୍ଡ ଓ ଦେବଗଡ ବନାଞ୍ଚଳ ଅନ୍ତର୍ଗତ କାଲକାଠ ଚିହ୍ନିତ ଜଙ୍ଗଲ (ଡିପିଏଫ୍‌) ନିକଟସ୍ଥ କାଲକାଠ କିଷାନ ସାହିରେ ଗୁରୁବାର ବିଳମ୍ବିତ ରାତିରେ ୨୨ଟି ହାତୀଙ୍କ ଏକ ଦଳ ପଶି ଗାଁର ଦଶରୁ କିଷାନ, କୁମୁଦ କିଷାନ, ଜଗନ୍ନାଥ କିଷାନ, ବିଦେଶୀ କିଷାନ ଓ କାମେଶ୍ୱର କିଷାନଙ୍କ ଘର ଭାଙ୍ଗି ଦେଇଛନ୍ତି। ଏଥି ସହ ହାତୀମାନେ ଦଶରୁଙ୍କ କଦଳୀ ଓ ପିଆଜ ବଗିଚା ନଷ୍ଟ କରିବା ସହିତ ଘରେ ଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଖାଇ ଦେଇଥିବା ଜଣାପଡ଼ିଛି। ଗୁରୁବାର ମଧ୍ୟାହ୍ନଷର ହାତୀ ପଲ ଉକ୍ତ ଗାଁ ପାଖାପାଖି ହେଉଥିବା ଦେଖି ଗ୍ରାମବାସୀ ସେମାନଙ୍କୁ ଘଉଡ଼ାଇବାକୁ ବନ ବିଭାଗକୁ ସୂଚନା ଦେଇଥିଲେ। ମାତ୍ର ଏହା ସତ୍ତ୍ୱେ ବନ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ସେମାନଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଲା ବୋଲି କ୍ଷତିଗ୍ରସ୍ତମାନଙ୍କ ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ଦେବଗଡ଼ ରେଞ୍ଜ ଅଫିସର କୁଶ ଚନ୍ଦ୍ର ସିଂଙ୍କୁ ପଚାରିବାରେ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଉଛି ଓ ସେ ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସହାୟତା ମିଳି ନଥିବାରୁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ଖୋଲା ଆକାଶ ତଳେ ଶୀତ କାକରରେ ପଡ଼ି ରହିଥିବା ଜଣାପଡ଼ିଛି, ଯାହାକି ଏକ ସମ୍ବେଦନଶୀଳ ବିଷୟ। ଗତ ରାତିରେ ଘର ଭାଙ୍ଗିଥିଲେ ହେଁ ଏ ପର୍ଯ୍ୟନ୍ତ ରାଜସ୍ୱ ବିଭାଗର କୌଣସି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏବେ ବି କାଲକାଠ ଡିପିଏଫରେ ଉକ୍ତ ହାତୀ ପଲ ଥିବା ବେଳେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧିତ ଖବର