ଢେଙ୍କାନାଳ: ଢେଙ୍କାନାଳ ନୂତନ ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣ କାର୍ଯ୍ୟରେ ଯୋଗ ଦେବାର ଦୁଇ ଦିନ ପରେ ଆଜି ସାମ୍ବାଦିକମାନଙ୍କ ସହିତ ପରିଚିତ ହୋଇଛନ୍ତି। ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂତନ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ଜିଲ୍ଲାର ବିକାଶ ପାଇଁ ନିଜର ଦୃଷ୍ଟିଭଙ୍ଗୀ କ’ଣ ତାହା ଉପରେ ଆଲୋଚନା କରିଥିଲେ। ବିଶେଷ କରି ଜିଲ୍ଲାର ସାମୂହିକ ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ସହିତ କୃଷିର ଉନ୍ନତି ଅଣାଯିବା ସହିତ ଆଇନ୍ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯିବ। ସେହିପରି ବିଭିନ୍ନ କ୍ଷେତ୍ରରୁ କିପରି ଅଧିକ ରାଜସ୍ୱ ଆଦାୟ ହୋଇ ପାରିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ କଲ୍ୟାଣ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାବାସୀଙ୍କ ମନୋରଞ୍ଜନ ପାଇଁ ଫିଲ୍ମ ହଲ୍, ପାର୍କ, କ୍ରୀଡ଼ା ପାଇଁ ଉତ୍ତମ ବାତାବରଣ ସୃଷ୍ଟି ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାରେ ଗତବର୍ଷ ବନ୍ଦ ହୋଇଯାଇ ଥିବା ମହୋତ୍ସବକୁ ପୁଣି ଥରେ କରାଇବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତୀତ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସପ୍ତଶଯ୍ୟା, କପିଳାସ, ଯୋରନ୍ଦା ମହିମାଗାଦିର ଉନ୍ନତିକରଣ, ଅପହଞ୍ଚ ଇଲାକାକୁ ଗମନାଗମନ ସୁବିଧା, ହାତୀ ସୁରକ୍ଷା ସହିତ ହାତୀପଲ ଯେପରି ଜନବସତି ମୁହାଁ ନ ହେବେ ସେଦିଗରେ ପଦକ୍ଷେପ ନେବା ସମ୍ପର୍କରେ ଆଲୋଚନା ହୋଇଥିଲା। ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ହିନ୍ଦୋଳ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ମଧୁସ୍ମିତା ବେହେରା, କାମାକ୍ଷାନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୈଳାସ ଚନ୍ଦ୍ର ବେହେରାଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।