ଏଟିଏମ୍‌ ଚୋରକୁ ଛେଚି ପୁଲିସ୍‌କୁ ଦେଲେ

ଢେଙ୍କାନାଳ: ସ୍ଥାନୀୟ ଜଗନ୍ନାଥରୋଡ ୟୁନିଅନ୍‌ ବ୍ୟାଙ୍କ ଏଟିଏମ୍‌ରୁ ଆଜି ଜଣେ ବ୍ୟକ୍ତଙ୍କ ଏଟିଏମ୍‌ କାର୍ଡ ଧରି ଅନ୍ୟ ଜଣେ ଯୁବକ ପଳାଉଥିବା ବେଳେ ଅଞ୍ଚଳବାସୀ ତାଙ୍କୁ ନିସ୍ତୁକ ପିଟି ପୁଲିସକୁ ଦେଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସଦର ବ୍ଲକ୍‌ ସଦେଇବେରେଣୀ ଗ୍ରାମର ଅଭିମନ୍ୟୁ ବେହେରା ଟଙ୍କା ଉଠାଇବା ପାଇଁ ଆଜି ଢେଙ୍କାନାଳ ସହରର ଜଗନ୍ନାଥରୋଡ ସ୍ଥିତ ୟୁନଅନ୍‌ ବ୍ୟାଙ୍କଠାରେ ଥିବା ଏଟିଏମ୍‌ କାଉଣ୍ଟରକୁ ଯାଇଥିଲେ। ଏଟିଏମ୍‌ କାର୍ଡ ମାଧ୍ୟମରେ ଟଙ୍କା ଉଠାଉଥିବା ବେଳେ କୌଣସି କାରଣରୁ ଟଙ୍କା କାଉଣ୍ଟରରୁ ବାହାରିନଥିଲା। ଏହାର ସୁଯୋଗ ନେଇ ପାଖରେ ଥିବା ଜଣେ ଯୁବକ ‘ଟଙ୍କା ଉଠାଇ ଦେବେ’ କହି ତାଙ୍କଠାରୁ ଏଟିଏମ୍‌ କାର୍ଡଟି ନେଇଥିଲା। ପରେ ଟଙ୍କା ଉଠୁ ନାହିଁ କହି ଅଭିମନ୍ୟୁଙ୍କୁ ଅନ୍ୟ ଏକ ଏଟିଏମ୍‌ କାର୍ଡ ଦେଇଥିଲେ।

ଏହି କାର୍ଡଟି ତାଙ୍କର ନୁହେଁ ବୋଲି ଅଭିମନ୍ୟୁ କହିବାରୁ ଯୁବକ ଜଣକ ସେଠାରୁ ଦୌଡି ପଳାଇଥିଲେ। ଅଭିମନ୍ୟୁ ପାଟି କରିବାରୁ ସ୍ଥାନୀୟ ଅଞ୍ଚଳବାସୀ ସଂପୃକ୍ତ ଯୁବକଙ୍କୁ ଗୋଡାଇ ମୁକ୍ତାଦେଇପୁର ଶାସନ ଛକଠାରେ ଧରି ଉତ୍ତମ ମାଧ୍ୟମ ଦେବା ପରେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଟାଉନ୍‌ ପୁଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଅଭିଯୁକ୍ତ ଯୁବକଙ୍କ ନାମ ଦୟାନନ୍ଦ କୁମାର ରାୟ ଓ ତାଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ବାଦୁଲିଆ ଗ୍ରାମରେ ବୋଲି ଜଣାପଡ଼ିଛି। ତାଙ୍କଠାରୁ ବିଭିନ୍ନ ବ୍ୟାଙ୍କର ୩୪ଟି ଏଟିଏମ୍‌ କାର୍ଡ ସହ ୧୧ ଶହ ଟଙ୍କା ଜବତ କରାଯାଇଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର