ସମ୍ବଲପୁର : ସ୍କୁଲରେ ଶିକ୍ଷକ ଅଭାବରୁ ପୁଲିସ କର୍ମଚାରୀ ପଢ଼ାଉଛନ୍ତି ପାଠ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରିଜର୍ଭ ପୁଲିସ ଭିତରେ ଥିବା ପୁଲିସ ହାଇସ୍କୁଲରେ ୪ଜଣ ପୁଲିସ କର୍ମଚାରୀ ଶିକ୍ଷାଦାନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଛି । ଯେଉଁଥିପାଇଁ ଏହି ୪ଜଣ ପୁଲିସ କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଉଛନ୍ତି। ସେମାନେ ହେଲେ ନିରଞ୍ଜନ ତ୍ରିପାଠୀ, ମଞ୍ଜୁଲତା ପଟ୍ଟନାୟକ, ପ୍ରକାଶ ପରିଡା, ବିଦ୍ୟାଧର ନାୟକ । ଏହି ୪ଜଣ ପୁଲିସ କର୍ମଚାରୀ ଦୀର୍ଘ ବର୍ଷ ହେଲା ନିରବଚ୍ଛିନ ଭାବେ ପାଠ ପଢାଇ ଆସୁଛନ୍ତି। ଆଉ ଏହି ଶିକ୍ଷକମାନେ ଭଲ ପାଠପଢ଼ାଉଥିବା ନେଇ ଛାତ୍ରଛାତ୍ରୀମାନେ ବି କହିଛନ୍ତି।

୨୦୦୭ ମସିହାରେ ଏହି ସ୍କୁଲରେ ଶିକ୍ଷକ ଅଭାବ ହେବାରୁ, ତତ୍କାଳୀନ ଏସପି ଶିକ୍ଷା ବାଧାପ୍ରାପ୍ତ ନହେବା ପାଇଁ ନିରଞ୍ଜନ ତ୍ରିପାଠୀ, ମଞ୍ଜୁଲତା ପଟ୍ଟନାୟକ, ପ୍ରକାଶ ପରିଡା, ବିଦ୍ୟାଧର ନାୟକ ଏହି ୪ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରିଥିଲେ । କିନ୍ତୁ ଶିକ୍ଷା ବିଭାଗ ଏଯାଏଁ ସ୍ଥାୟୀ ଶିକ୍ଷକ ନଦେବା ଶିକ୍ଷା ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କହିବା କଥା ୨୦୦୦ ମସିହାଠାରୁ ଅନୁଦାନ ପ୍ରାପ୍ତ ସ୍କୁଲଗୁଡିକ ପାଇଁ ଶିକ୍ଷକ ନିଯୁକ୍ତି କରାଯାଉ ନଥିବାବେଳେ ଖୁବ ଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ । ତେବେ ପ୍ରଶ୍ନ ଉଠୁଛି ଦୀର୍ଘ ୨୦୦୭ ମସିହାରୁ କାହିଁକି ଶିକ୍ଷା ବିଭାଗ ଏଥି ପ୍ରତି ଧ୍ୟାନ ଦେଉ ନାହିଁ। ଆଉ ଦେଖିବାକୁ ରହିଲା ଏହି ସ୍କୁଲରେ କେବେ ଶିକ୍ଷକ ନିଯୁକ୍ତ ହେଉଛନ୍ତି ।

ସମ୍ବନ୍ଧିତ ଖବର