ବାଲିଯାତ୍ରାକୁ ଆଉ ୭ ଦିନ: ୪ ହଜାର ବର୍ଗଫୁଟରୁ ଅଧିକ ପ୍ଳଟ ନେଇଥିବା ବ୍ୟବସାୟୀଙ୍କୁ ଏଯାଏଁ ଜିଲ୍ଲାପାଳଙ୍କ ଅନୁମୋଦନ ମିଳି ନାହିଁ
କଟକ : ତୁଟୁନି ବାଲିଯାତ୍ରା ଫି’ ବିବାଦ। ଏହାକୁ ନେଇ ପ୍ରଶାସନ-ବାଲିଯାତ୍ରା ବ୍ୟବସାୟୀ ସଂଘ ମୁହାଁମୁହିଁ ହୋଇଛନ୍ତି। ବାରମ୍ବାର ନିୟମ ବଦଳିବା ପ୍ରତିବାଦରେ ବାଲିଯାତ୍ରା ପ୍ଲଟ ଆବଣ୍ଟନ ଅଧାରୁ ବର୍ଜନ କରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ। ଏଥିସହିତ ଯେଉଁମାନେ ପ୍ଲଟ ପାଇଛନ୍ତି ସେମାନଙ୍କୁ ପ୍ଲଟ ଫେରାଇ ଦେବାକୁ ଧମକ ଦେଇଛନ୍ତି ବ୍ୟବସାୟୀ ସଂଘ।
Sambad is now on WhatsApp
Join and get latest news updates delivered to you via WhatsApp
କାରଣ ଚଳିତ ବର୍ଷର ନୂଆ ନିୟମ ଅନୁଯାୟୀ, ୪ ହଜାର ବର୍ଗଫୁଟରୁ ଅଧିକ ସ୍ଥାନ ନେଲେ ଜିଲ୍ଲାପାଳଙ୍କ ଅନୁମୋଦନ ନେବାକୁ ପଡ଼ିବ। ତେଣୁ ଆଜିକି ପ୍ଲଟ ବିକ୍ରିକୁ ଷଷ୍ଠ ଦିନ ହୋଇଥିଲେ ହେଁ ଯେଉଁମାନେ ୪ ହଜାର ବର୍ଗଫୁଟରୁ ଅଧିକ ପ୍ଲଟ ନେଇଛନ୍ତି ସେମାନଙ୍କୁ ଜିଲ୍ଲାପାଳଙ୍କ ପକ୍ଷରୁ ଏ ନେଇ କୌଣସି ଅନୁମୋଦନ ମିଳିନାହିଁ। ତେଣୁ ବାଲିଯାତ୍ରାକୁ ଆଉ ୭ଦିନ ଥିବା ବେଳେ କେବେ ସେମାନେ ପ୍ରସ୍ତୁତ ହେବେ ସେନେଇ ବାଲିଯାତ୍ରା ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଛନ୍ତି।
ଉଲ୍ଲେଖଯୋଗ୍ୟ, ସଂଘ ଓ ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକ ସାମ୍ନାକୁ ଆସିଛି। ବାଲିଯାତ୍ରା ଏଣିକି ଦଶ ଦିନ ହେବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ପୁରୁଣା ବ୍ୟବସାୟୀ (ଗତବର୍ଷ ଯେଉଁମାନେ ନେଇଥିବେ) ବର୍ଗଫୁଟ୍ ପିଛା ୩୩ଟଙ୍କା, ନୂଆ ବ୍ୟବସାୟୀ ୪୩ ଟଙ୍କା, ୪ ହଜାର ବର୍ଗଫୁଟରୁ ଅଧିକ ନେଲେ ଜିଲ୍ଲାପାଳଙ୍କ ଅନୁମୋଦନ, ଦୋଳି ନିଲାମ, ନିଜ ନାମରେ ନେଇ ଅନ୍ୟ କାହାକୁ ବିକିଲେ କାର୍ଯ୍ୟାନୁଷ୍ଠାନ, ବାଲିଯାତ୍ରା ପ୍ରସ୍ତୁତିରେ ସଂଘକୁ ସାଥିରେ ନେବା ଭଳି ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଥିଲା।