ଗୋଳନ୍ଥରା/ବ୍ରହ୍ମପୁର : ଅଧିକ ସୁଧ ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ଟଙ୍କା ଜମା ରାଶି ଠକେଇ ମାମଲାରେ ସଂପୃକ୍ତ ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା କନିଷିରେ ଥିବା ଅର୍ଥଲଗାଣକାରୀ ସ˚ସ୍ଥା ଦାତୁମ୍ର ପରିଚାଳନା ନିର୍ଦ୍ଦେଶକ(ଏମଡି) ବ୍ରଜମୋହନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ନିର୍ଦ୍ଦେଶିକା ତ୍ରିଧାରା ମହାନ୍ତି ଗତକାଲି ଭୁବନେଶ୍ବରରୁ ଗିରଫ ହୋଇଥିଲେ। ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବାବେଳେ କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ ପୁଲିସ୍କୁ ଅନୁମତି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ୨୦୦୬ ମସିହାରେ ଏହି ସଂସ୍ଥା କନିଷିର ଗୁଣ୍ଡିଚା ନଗରରେ ଆରମ୍ଭ ହୋଇଥିଲା। ଏହି ସଂସ୍ଥା ୧,୫୫୮ ଜଣ ଜମାକାରୀଙ୍କ ଠାରୁ ୫୦ରୁ ୬୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ୨୦୧୬ ଅଗଷ୍ଟ ୨୧ରେ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତ କରି ସଂସ୍ଥାର ଏସ୍ବିଆଇ କନିଷି ଶାଖାରେ ଥିବା ୪୦ଲକ୍ଷ ଟଙ୍କା ସିଲ୍ କରିଥିଲା। ଏଥିସହ କାର୍ଯ୍ୟାଳୟର କମ୍ପ୍ୟୁଟର ହାର୍ଡଡିସ୍କ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଜବତ କରିଥିଲା। ଦୁଇ ଜଣ ସହଯୋଗୀ ବିଜୟ ମହାପାତ୍ର, ସିଏଚ୍.ତ୍ରିପତି ବାଲାଜୀଙ୍କୁ ପୁଲିସ ଗିରଫ କରିଥିଲା। ଶେଷରେ, ପୁଲିସ୍ ବ୍ରଜମୋହନ ଓ ତ୍ରିଧାରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।
ରିମାଣ୍ଡରେ ଆଣିବା ପରେ ସଂସ୍ଥାରେ କେତେ ଟଙ୍କା ଜମା ହୋଇଛି, ସଂସ୍ଥାର ସମସ୍ତ ବେଆଇନ୍ ସମ୍ପତ୍ତିକୁ ଜବତ, ଏଜେଣ୍ଟ ଏବଂ ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତି ନେଇ ପୁଲିସ୍ ଆଗକୁ ତଦନ୍ତ କରିବ ବୋଲି ଏସ୍ପି ପିନାକ ମିଶ୍ର କହିଛନ୍ତି।