ଭଞ୍ଜନଗର: କଥାରେ ଅଛି, ଯେ ପାଞ୍ଚେ ପରମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଗଞ୍ଜାମ ଜିଲ୍ଲାରେ ଏହି ବାଣୀ ମଙ୍ଗଳବାର ସତ ପ୍ରମାଣିତ ହୋଇଛି। ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ବେଳେ ଆଜି ଅପରାହ୍ନରେ ୨ଟି ବାଇକ ମଧ୍ୟରେ ଧକ୍କା ହୋଇ ବିସ୍ଫୋରଣ ହୋଇଛି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ୨ ଜଣ ଯୁବକ ବାଇକ ଯୋଗେ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ବେଳେ ବାଟରେ ଅଚାନକ ପରିବା ବେଝେଇ ଏକ ବାଇକ ସହିତ ଧକ୍କା ହୋଇଥିଲା। ଫଳରେ ବୋମା ଗୁଡ଼ିକ ଫୁଟି ଯାଇଥିଲା। ଘଟଣାସ୍ଥଳରେ ୩ ଜଣ ବାଇକ ଆରୋହୀ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଆରାହୀଙ୍କ ଠାରୁ ୨ ବନ୍ଧୁକ, ବୋମା ଓ ଗୁଳି ଜବତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସେପ୍ଟେମ୍ବର ୧୧ରେ ଭଞ୍ଜନଗର ଜେଲରୁ ଫେରାର ଥିବା କଏଦୀ ବାବୁ ନାଏକ ଆଜି ତା’ର ବନ୍ଧୁ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅସୁରବନ୍ଧ ଗାଁର ବଳରାମ ନାଏକ ସହିତ ବାଇକରେ ବୋମା ନେଇ ଯାଉଥିଲେ। ବାଟରେ ସେମାନେ ପରିବା ନେଇ ଯାଉଥିବା ପ୍ରଶାନ୍ତ ନାମରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ଫଳରେ ଦୁର୍ଘଟଣା ଘଟିବାରୁ ବାବୁ ଧରିଥିବା ବୋମାବ୍ୟାଗ ଖସିପଡ଼ିଥିଲା। ବାବୁ ଓ ପ୍ରଶାନ୍ତଙ୍କୁ ବ୍ରହ୍ମପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ବଳରାମଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବାବୁ ନାଏକ ସଂପର୍କରେ ସୂଚନା ପାଇବା ପରେ ପୁଲିସ ତା’କୁ ଗିରଫ କରିବା ପାଇଁ ପିଛା କରୁଥିଲା। ଫଳରେ ବାବୁ ବ୍ୟସ୍ତ ହୋଇ ପଳାଉଥିଲା। ସେ ପ୍ରଶାନ୍ତଙ୍କୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଦୁଃଖର ବିଷୟରେ ବାବୁ ଓ ବଳରାମଙ୍କ ପାଇଁ ପ୍ରଶାନ୍ତଙ୍କୁ ଦୁର୍ଘଟଣାର ଶିକାର ହେବାକୁ ପଡିଛି।