ଡିସ୍‌ଚାର୍ଜ ପାଇଁ ଲାଞ୍ଚ : ଧରାପଡ଼ିଲେ ମେଡ଼ିକାଲ ଅଫିସର, ଫାର୍ମାସିଷ୍ଟ୍‍

ଦିଗପହଣ୍ଡି : ରୋଗୀକୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିବା ପାଇଁ ଲାଞ୍ଚ ନେଇ ଆଜି ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡା.ଶିଶିର କୁମାର ପ୍ରଧାନ। ଅଭିଯୋଗକାରୀ ଦିଗପହଣ୍ଡି ବ୍ଲକ ଝଡ଼ିପଦର ଗ୍ରାମର ଝୁମୁରୀ ଗୌଡ଼ଙ୍କଠୁ ଲାଞ୍ଚ ନେବା ପରେ ଭିଜିଲାନ୍‌ସ ଅଧିକାରୀ ମାନେ ଡା.ଶିଶିରଙ୍କୁ ଗିରଫ କରିଥିଲେ। ଏଥିରେ ସଂପୃକ୍ତ ଫାର୍ମାସିଷ୍ଟ୍‍ ପି.ରାଘବ ରାଓ ପାତ୍ର ବି ଭିଜିଲାନ୍‌ସ ଦ୍ୱାରା ଗିରଫ ହୋଇଛନ୍ତି। ଏନେଇ ବ୍ରହ୍ମପୁର ଭିଜିଲାନ୍‌ସ ଡିଭିଜନ୍‌ରେ ଏକ ମାମଲା ରୁଜୁ ହୋଇଛି। ଡା.ଶିଶିରଙ୍କ ବ୍ରହ୍ମପୁର ସହର ଜନାନା ହସ୍ପିଟାଲ ରୋଡ୍‌ ସ୍ଥିତ ବାସଭବନ ଏବଂ ଫାର୍ମାସିଷ୍ଟ ରାଘବଙ୍କ ବୋମକେଇସ୍ଥିତ ସରକାରୀ କ୍ୱାର୍ଟରରେ ଭିଜିଲାନ୍‌ସ ପକ୍ଷରୁ ଛାନ୍‌ଭିନ୍‌ ଜାରି ରହିଛି।

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ଭୁବନେଶ୍ୱର : ମେଡିକାଲ ଫିଟ୍‌ନେସ୍‌ ସାର୍ଟିଫିକେଟ(ସୁସ୍ଥତା ପ୍ରମାଣପତ୍ର) ପ୍ରଦାନ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଝାରସୁଗୁଡ଼ା ଏମ୍‌ସିଏଲ ସେଣ୍ଟ୍ରାଲ ହସ୍‌ପିଟାଲ ସିଏମ୍‌ଏସ୍‌ ଇନ୍‌ଚାର୍ଜ ଡା. ରାଜକିଶୋର ସାହୁଙ୍କୁ ଆଜି ଗିରଫ କରିଛି। ଏହା ପରେ ତାଙ୍କ ପୈତୃକ ଘରେ ମଧ୍ୟ ଚଢ଼ଉ ହୋଇଛି। ବାପାଙ୍କ ମୃତ୍ୟୁ ପରେ ଚାକିରି କରିବା ପାଇଁ ଆବେଦନ କରିଥିବା ଜଣେ ଯୁବକଙ୍କ ଅଭିଯୋଗକ୍ରମେ ଯୋଜନାବଦ୍ଧ ଭାବରେ ସିବିଆଇ ଅଧିକାରୀମାନେ ଚଢ଼ାଉ କରି ଏହି ଲାଞ୍ଚ ଅର୍ଥ ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି। ଗତ ୧୦ ତାରିଖ ଦିନ ସମ୍ପୃକ୍ତ ଯୁବକ ସିବିଆଇରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ତାଙ୍କ ବାପା ଏମ୍‌ସିଏଲ୍‌ର ଲଖନପୁର ଓସିପିରେ ଫିଟର ଭାବରେ କାମ କରୁଥିଲେ। ୨୦୧୬ ମସିହା ଜୁଲାଇରେ ତାଙ୍କର ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ସେ ସେହି ଚାକିରି ପାଇଁ ଆବେଦନ କରିଥିଲେ। ଫିଟ୍‌ନେସ୍‌ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ସମ୍ପୃକ୍ତ ଡାକ୍ତର ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ସିବିଆଇର ଦ୍ୱାରସ୍ଥ ହୋଇଥିଲେ। ଆସନ୍ତାକାଲି ତାଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧିତ ଖବର