ଯନ୍ତ୍ରୀଙ୍କ ଘରେ ଭିଜିଲାନ୍‌ସ ଚଢ଼ଉ

ଜଗତସିଂହପୁର ଟାଉନ୍‌ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍‌ସ ବିଭାଗ ଜଗତସିଂହପୁର ଜିଲ୍ଳା ବାଲିକୁଦା ବ୍ଲକ୍‌ ପୂର୍ତ୍ତ ଡିଭିଜନର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ନଗଦ ଟଙ୍କା, ସୁନା, ଗାଡ଼ି, ଜମି, ବ୍ୟାଙ୍କ ଡିପୋଜିଟ୍‌ ଓ ଅନ୍ୟାନ୍ୟ ବାବଦରେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଅଧିକ ତଦନ୍ତ ପାଇଁ ଶ୍ରୀ ମିଶ୍ରଙ୍କୁ ଭିଜିଲାନ୍‌ସ ବିଭାଗ ନିଜ ହେପାଜତକୁ ନେଇଛି।

ଆଜି ସକାଳ ପ୍ରାୟ ୭ଟା ସମୟରେ ଜଗତସିଂହପୁର ଭିଜିଲାନ୍‌ସ ଡିଏସ୍‌ପି ବିଶ୍ୱପ୍ରକାଶ ପଟ୍ଟନାୟକଙ୍କ ନେତୃତ୍ଵରେ ଭିଜିଲାନ୍‌ସର ୮ଟି ଟିମ୍‌ ଏକକାଳୀନ ସହକାରୀ ଯନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘର ତଥା ସମ୍ପର୍କୀୟଙ୍କ ଘରର ୮ଟି ସ୍ଥାନରେ ଚଢ଼ଉ କରିଥିଲେ। ବାଲିକୁଦା ବ୍ଲକ୍‌ ଆର ଆଣ୍ଡ ବି କାର୍ଯ୍ୟାଳୟ, ଜଗତସିଂହପୁର ଆର୍‌ ଆଣ୍ଡ ବି କଲୋନି ବାସଗୃହ, ପୁରୋହିତପୁରସ୍ଥିତ ଶ୍ୱଶୁର ବାସୁଦେବ ତ୍ରିପାଠୀଙ୍କ ଘର, ବିରିଡ଼ି ବ୍ଲକ୍‌ ଡିହସାହିସ୍ଥିତ ପୈତୃକ ଘର, ଜଗତସିଂହପୁର ବ୍ଲକ୍‌ ସାନ ମୁଣ୍ଡିଲୋସ୍ଥିତ ଝିଆରୀ ସନ୍ତୋସିନୀ ନନ୍ଦଙ୍କ ଘର, ଜଗତସିଂହପୁର ଜୟବଡ଼ରେ ପତ୍ନୀଙ୍କ ନାମରେ ଥିବା ଦୁଇମହଲା ଘର, ଭୁବନେଶ୍ୱରର ଜାଗମରାରେ ଥିବା ତିନିମହଲା ଘର ଏବଂ ଭୁବନେଶ୍ୱର ହାଉସିଂ ବୋର୍ଡ କଲୋନିସ୍ଥିତ ଘରେ ଚଢ଼ଉ କରାଯାଇଥିଲା। ଭିଜିଲାନ୍‌ସ ଡିଏସ୍‌ପି ଶ୍ରୀ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ୧ ଲକ୍ଷ ୨୫ହଜାର ନଗଦ ଟଙ୍କା, ୬୪ଗ୍ରାମ ସୁନା ଅଳଙ୍କାର, ଗୋଟିଏ ଇଣ୍ଡିଗୋ ଏବଂ ଗୋଟିଏ ଆଇ-ଟୋଣ୍ଟି କାର୍‌, ତିନିଟି ବାଇକ୍‌, ଭୁବନେଶ୍ୱରରେ ୫ଟି ପ୍ଲଟ୍‌, ଜଗତସିଂହପୁରରେ ଗୋଟିଏ ପ୍ଲଟ୍‌, ଜଗତସିଂହପୁର ଜୟବଡ଼ ଏବଂ ଭୁବନେଶ୍ୱରରେ ଥିବା ତିନିମହଲା କୋଠା ରହିଛି। ୧୧ଟି ବ୍ୟାଙ୍କ୍‌ ଆକାଉଣ୍ଟରେ ୧୫ଲକ୍ଷ ଟଙ୍କାର ଡିପୋଜିଟ୍‌ ଜଣା ପଡ଼ିଥିବା ବେଳେ ଅନ୍ୟ ୫ଟି ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ଜଣା ପଡ଼ିନାହିଁ। ସେହିପରି ପୋଷ୍ଟାଲ,ଏଲ୍‌ଆଇସି, ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ କେତେ ଡିପୋଜିଟ୍‌ ରହିଛି ତା’ର ତଥ୍ୟ ଜଣା ପଡ଼ିନାହିଁ। ଏ ପର୍ଯ୍ୟନ୍ତ ମୋଟ ୧କୋଟି ୩୩ ଲକ୍ଷ, ୬୯ ହଜାର ୪୪୪ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍‌ସ ଡିଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର