ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌ ଉଦ୍ୟମ:ଲୁଟେରାଙ୍କ ମାଡ଼ରେ ଦୁଇ କର୍ମଚାରୀ, ଜଣେ ଗ୍ରାହକ ଆହତ

ବଡ଼ବିଲ: ବଡ଼ବିଲ ଆଲ୍ଲାହାବାଦ ବ୍ୟାଙ୍କ ଶାଖାରେ ଆଜି ଦିନ ୧୧ଟାରେ ଲୁଟ୍‌ ଉଦ୍ୟମ ହୋଇଛି। ସ୍ପଷ୍ଟ ଦିବାଲୋକରେ ଗ୍ରାହକଙ୍କ ଭିଡ଼ ମଧ୍ୟରେ ୪ ଜଣ ଲୁଟେରା ପଶି ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିଲେ। ସୁରକ୍ଷାକର୍ମୀ, ବ୍ୟାଙ୍କ କର୍ମଚାରୀଙ୍କ ପ୍ରତିରୋଧ ଓ ଗ୍ରାହକଙ୍କ ହୋହଲ୍ଲା ମଧ୍ୟରେ ସେମାନଙ୍କ ଲୁଟ୍‌ ଉଦ୍ୟମ ବିଫଳ ହୋଇଥିଲେ। ତେବେ ଲୁଟେରାଙ୍କ ମାଡ଼ରେ ବ୍ୟାଙ୍କ କର୍ମଚାରୀ, ସୁରକ୍ଷାକର୍ମୀ ଓ ‌ଜଣେ ଗ୍ରାହକ ଆହତ ହୋଇଛନ୍ତି।
ବଡ଼ବିଲ ସହର ମଝିରେ ରହିଛି ଆଲ୍ଲାହାବାଦ ବ୍ୟାଙ୍କ ଶାଖା। ଦିନ ପ୍ରାୟ ୧୧ଟା। ସବୁଦିନ ଭଳି ବ୍ୟାଙ୍କର ସ୍ବାଭାବିକ କାର୍ଯ୍ୟ ଚାଲିଥିଲା। ହଠାତ ୪ ଜଣ ଯୁବକ ବ୍ୟାଙ୍କରେ ପଶିଥିଲେ। ଜଣେ ପ୍ରଥମେ ବ୍ୟାଙ୍କର ସୁରକ୍ଷା କର୍ମଚାରୀ ବିଜୟ ବିଶ୍ବକର୍ମାଙ୍କୁ ବନ୍ଧୁକ ଦେଖାଇଥିଲା। ଅନ୍ୟଜଣେ ସୁରକ୍ଷା କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲା। ଅନ୍ୟ ଦୁଇ ଦୁର୍ବୃତ୍ତ ବ୍ୟାଙ୍କ କ୍ୟାସିଅର ଲକ୍ଷ୍ମୀନାରାୟଣ ନାଏକଙ୍କୁ କ୍ୟ‌ାସ୍ ଡ୍ରୟାରର ଚାବି ମାଗିଥିଲେ। ସେ ଚାବି ନଦେବାରୁ ଦୁହେଁ ତାଙ୍କୁ ମାଡ଼ ମାରିଥିଲେ। ଫଳରେ କ୍ୟାସିଅର ଶ୍ରୀ ନାଏକଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସୁରକ୍ଷାକର୍ମୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ମାତ୍ର ବ୍ୟାଙ୍କ ଟଙ୍କା ଲୁଟିବାରେ ଦୁର୍ବୃତ୍ତମାନେ ସଫଳ ହୋଇନଥିଲେ। ସେଠାରେ ଥିବା ଜଣେ ଗ୍ରାହକ ପ୍ରଶାନ୍ତ ବାରିକଙ୍କୁ ମାଡ଼ମାରି ତାଙ୍କ ମୋବାଇଲ ଫୋନ ଓ କିଛି ଟଙ୍କା ଲୁଟି ନେଇ ବାଇକ୍‌ରେ ଚମ୍ପଟ ମାରିଥିଲେ।
ଖବର ପାଇ ବଡ଼ବିଲ ଥାନା ଅଧିକାରୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ସହରର ବିଭିନ୍ନ ରାସ୍ତାକୁ ସିଲ୍‌ କରି ଯାଂଚ କରିଥିଲେ ହେଁ ଲୁଟେରାଙ୍କ ପତ୍ତା ପାଇନାହାନ୍ତି। ଲୁଟେରା ୪ ଜଣ ହିନ୍ଦୀଏବଂ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିଲେ। ସେମାନେ ବେଲକୁଣ୍ଢି ଗ୍ରାମ ଦେଇ ପଡ଼ୋଶୀ ଝାଡ଼ଖଣ୍ଡକୁ ପଳେଇଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର