ପଦ୍ମନାଭପୁରରେ ସଶସ୍ତ୍ର ଡକାୟତି

ଲୁଟ୍‌ତରାଜ ସାଙ୍ଗକୁ ଭଙ୍ଗାରୁଜା, ଗୃହକର୍ତ୍ତାଙ୍କୁ ଆକ୍ରମଣ

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କଲେ

ଚଣ୍ଡିଖୋଲ : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ପଞ୍ଚାୟତ ପଦ୍ମନାଭପୁର ଗ୍ରାମରେ ସଶସ୍ତ୍ର ଡକାୟତି ହୋଇଛି। ଗତ ୨୧ ତାରିଖ ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରେ ପଶି ଗୃହକର୍ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଲୁଟତରାଜ କରିବା ସହ ଡକାୟତମାନେ ଘରର ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ୍‌ ସନ୍ଧାନୀ କୁକର ଓ ସାଇଣ୍ଟିଫିକ୍‌ ଟିମ୍‌ ସହିତ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରିଥିଲେ। ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରତ୍ନଗିରି ରାଉତ ସାହି ଗ୍ରାମର ରାମଚନ୍ଦ୍ର ବେହୁରା ଗତ ୧୫ ବର୍ଷ ହେଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ଅଳ୍ପ କିଛି ଦୂର ରାସ୍ତା କଡ଼ରେ ଘର କରି ପରିବାର ସହ ରହି ଆସୁଛନ୍ତି। ବଡ଼ ପୁଅ ମାନସ କଲିକତାରେ ରହୁଥିବା ବେଳେ ସାନପୁଅ ତୁଷାର ସେନା ବାହିନୀରେ ଚାକିରି କରନ୍ତି। ବର୍ତମାନ ସେ ଜମୁ-କଶ୍ମୀରରେ ରହୁଛନ୍ତି। ଦୁଇ ପୁଅ ବାହାରେ ଥିବାର ସୁଯୋଗରେ ଗାଁ ଠାରୁ ଦୂରରେ ଥିବା ରାମଚନ୍ଦ୍ରଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୭/୮ ଜଣ ଡକାୟତ ମୁହଁରେ ପଟି ଭିଡ଼ି ଲୁହାରଡ଼, ଶାବଳ ଓ ଛୁରି ଧରି ପଶିଥିଲେ। ଘର ଭିତରେ ବୃଦ୍ଧ ରାମଚନ୍ଦ୍ର, ପତ୍ନୀ ପ୍ରେମଲତା, ଗତକାଲି କଲିକତାରୁ ଘରକୁ ଆସିଥିବା ବଡ଼ପୁଅ ମାନସ ଓ ସାନବୋହୂ ଘରେ ଥିଲେ। ଡକାୟତମାନେ ପ୍ରଥମେ ଘରେ ପଶି ଆଲମିରା ଚାବି ମାଗିଥିଲେ। ତେବେ ଏମାନେ ଚାବି ନଦେବାରୁ ଡକାୟତମାନେ ରାମଚନ୍ଦ୍ର, ପତ୍ନୀ ପ୍ରେମଲତା ଓ ବଡ଼ପୁଅ ମାନସକୁ ଲୁହାରଡ଼ରେ ପ୍ରବଳ ମାଡ଼ ମାରିଥିଲେ।

ଡକାୟତଙ୍କ ମାଡ଼ରେ ଏହି ତିନି ଜଣ ଲହୁଲୁହାଣ ହୋଇପଡ଼ିଥିଲେ। ଡକାୟତମାନେ ସାନ ବୋହୂକୁ ମଧ୍ୟ ଆକ୍ରମଣ କରି ୩ଟି ଘର ଭିତରେ ଥିବା ସମସ୍ତ ଆଲମିରା ଓ ବାକ୍ସ ଭାଂଗି ନଗଦ ୨୦ ହଜାର ଟଙ୍କା ସମେତ ଅଢ଼େଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏତିକିରେ ଡକାୟତମାନେ ଶାନ୍ତ ହୋଇ ନଥିଲେ। ଲୁହାରଡ଼ ଓ ଶାବଳରେ ରାମଚନ୍ଦ୍ରଙ୍କ ଘରେ ଥିବା ସମସ୍ତ ସୌଖିନ ସରଞ୍ଜାମ, ଟିଭି, ଚେୟାର ସହିତ ଅନ୍ୟାନ୍ୟ ସମସ୍ତ ଜିନିଷ ବାଡ଼େଇ ଭାଂଗିରୁଜି ପକାଇଥିଲେ। ଫ୍ରିଜ୍‌ ଭିତରେ ଥିବା ଖାଦ୍ୟ ଜିନିଷ ମଧ୍ୟ ସେମାନେ ଖାଇଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା କାଳ ରାମଚନ୍ଦ୍ରଙ୍କ ଘରେ ଡକାୟତ ଏଭଳି କାଣ୍ଡ ଭିଆଇ ଗାଁ ଭିତରେ ଥିବା ବ୍ରଜକିଶୋର ରାଉତଙ୍କ ଘରେ ପଶି ସେଠାରୁ ମୂଲ୍ୟବାନ ଶାଢ଼ି ଓ ୧୫ ହଜାର ଟଙ୍କା ଲୁଟି ନେଇଥିଲେ।

ଅନ୍ୟପଟେ ଡକାୟତମାନେ ଲୁଟ୍‌ପାଟ୍‌ କରୁଥିବା ବେଳେ ଘରେ ଥିବା ୨/୩ଟି ମୋବାଇଲ୍‌ ଫୋନ୍‌କୁ ବାଡ଼େଇ ଭାଙ୍ଗି ଦେଇଥିଲେ। ରାମଚନ୍ଦ୍ରଙ୍କ ୩ ବର୍ଷର ନାତୁଣୀ ଲଭଲି ମୋ ମୋବାଇଲ୍‌ ଭାଙ୍ଗନା ମତେ ଦେଇ ଦିଅ, ମୁଁ ଗେମ୍‌ ଖେଳିବି ବୋଲି କହିଥିଲା। ଜଣେ ଡକାୟତ ଏଥିରେ ପ୍ରଭାବିତ ହୋଇ ତା ମୋବାଇଲକୁ ଭାଙ୍ଗି ନଥିଲେ। ମୋବାଇଲ୍‌ ସହ ଲଭଲି ବେକରୁ ଛଡ଼ାଇ ନେଇଥିବା ଏକ ସୁନା ଲକେଟ୍‌କୁ ମଧ୍ୟ ଫେରାଇ ଦେଇଥିଲେ।

ସମ୍ବନ୍ଧିତ ଖବର