ଦାରିଦ୍ର୍ୟ ସାଙ୍ଗକୁ ପାରିବାରିକ କଳହ : ଝିଅକୁ ମାରି ପୋଖରୀରେ ଫିଙ୍ଗିଦେଲା ମା’

ବାରବାଟୀ/ହରିପୁର : ଦାରିଦ୍ର୍ୟ ସାଙ୍ଗକୁ ପାରିବାରିକ କଳହ ମିଶିଗଲେ ପରିଣତି କେତେ ଭୟାବହ ହୋଇପାରେ ତା’ର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତରେ ଜଣେ ମା’ ଭୋକରେ କାନ୍ଦୁଥିବା ନିଜ ଶିଶୁ କନ୍ୟାକୁ ଖାଇବାକୁ ଦେଇ ନପାରି ତଣ୍ଟିଚିପି ହତ୍ୟା କରିବା ଓ ପରେ ପୋଖରୀରେ ଫିଙ୍ଗି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ପୋଖରୀରେ ଭାସୁଥିବା ଶିଶୁ କନ୍ୟାର ଶବ ଜବତ କରିବା ସହ ଅଭିଯୁକ୍ତ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଗୁପାଳ ଗାଁର ଦଳିତ ସାହି ନିକଟରେ ରହୁଥିବା ବିଜୟ ବେହେରାଙ୍କର ବୁଧବାର ଦିନ ପତ୍ନୀ ସୋନିଙ୍କ ସହ ଝଗଡ଼ା ହୋଇଥିଲା। ପରେ ବିଜୟ ବାହାଘରିଆ ବାଜା ବଜାଇବା ପାଇଁ ବାହାରକୁ ଚାଲି ଯାଇଥିଲେ। ଶନିବାର ସୁଦ୍ଧା ଘରକୁ ଫେରି ନଥିଲେ କି ଘର ଚଳାଇବା ପାଇଁ ସ୍ତ୍ରୀକୁ କିଛି ପଇସାପତ୍ର ଦେଇ ନଥିଲେ। ଏପଟେ ଘର ଚଳାଇବା ପାଇଁ ସୋନି ପାଖରେ ଟଙ୍କା ନଥିବାରୁ ସେ ଓ ତାର ଦୁଇ ସନ୍ତାନ ଦୁଇ ଦିନ ହେଲା କିଛି ଖାଇ ନଥିଲେ। ଶନିବାର ଦିନ ବଡ଼ ପୁଅ ଉପବାସରେ ଶୋଇ ପଡିଥିଲା। ଝିଅ କିନ୍ତୁ ଭୋକ ସହି ନପାରି ମା’କୁ ଖାଇବାକୁ ମାଗିଥିଲା।

ମା’ ରାଗି ଯାଇ ଝିଅକୁ ସାଙ୍ଗରେ ଡାକି ନେଇ ଖଇରାବାଦ ଗାଁ ଆଡକୁ ଚାଲି ଯାଇଥିଲା। ଗାଁ ମୁଣ୍ଡରେ ଥିବା ଶଙ୍କରା ପୋଖରୀ ହୁଡ଼ାରେ ଝିଅର ତଣ୍ଟି ଚିପି ମାରିଦେବା ପରେ ପୋଖରୀ ମଧ୍ୟକୁ ଫୋପାଡି ଦେଇଥିଲା। ଏହି କାଣ୍ଡ ଭିଆଇବା ପରେ ସେ ତା ବାପଘର ଯାଜପୁର ସଦର ଥାନା ବରୁଆଁ ଅଂଚଳକୁ ପଳାଇ ଯାଇଥିଲା। ସେଠାରେ ପହଞ୍ଚି ବାପଘର ଲୋକଙ୍କ ଆଗରେ ସବୁ କଥା କହିଥିଲା। ବାପଘର ଲୋକେ ସବୁ ଜାଣିବା ପରେ ବିଜୟଙ୍କ ବଡ଼ଭାଇ ଅଜୟ ବେହେରାଙ୍କୁ ଆଜି ସକାଳେ ଖବର ଦେଇଥିଲେ। ଅଜୟ ବେହେରା ପୋଖରୀ ନିକଟକୁ ଯାଇ ପାଣିରେ ଶିଶୁ କନ୍ୟାର ଶବ ଭାସୁଥିବାର ଦେଖିବାକୁ ପାଇଥିଲେ। ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ। କୁଆଖିଆ ଥାନା ଏସ.ଆଇ ମଧୁମିତା ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ମା’କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ମା’ ପୁଲିସ ସମ୍ମୁଖରେ ଝିଅକୁ ହତ୍ୟା କରିଥିବା ଘଟଣାକୁ ସ୍ୱୀକାର କରିଛି। ପୁଲିସ ଏ ସଂପର୍କରେ ଥାନାରେ କେସ୍‌ ନଂ-୪୭/୧୮ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କୁଆଖିଆ ଥାନା ଅଧିକାରୀ ଆଶିଷ ସାହୁ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର