ଦୁର୍ଘଟଣାରେ ଗୁରୁତର ରଘୁମଣିଙ୍କ ଚିକିତ୍ସା ହେଲାନି : ଭୁବନେଶ୍ୱର ସ୍ଥାନାନ୍ତର

ଇବ୍‌ଥର୍ମାଲ: ବନହରପାଲି ଥାନା ତେଲେନପାଲି ପଞ୍ଚାୟତ ଧୁବାଡ଼େରା ଗାଁର ରଘୁମଣି କଣ୍ଟା (୫୦)। ଉବୁଡ଼ା କୋଇଲା ଖଣି ଅନ୍ତର୍ଗତ ଓପିଜିସି ସାଇଡିଂରେ ଘରୋଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଗତ ମାର୍ଚ୍ଚ ୮ ତାରିଖ ଗୁରୁବାର ସକାଳ ସାଢ଼େ ୮ଟା ସମୟରେ ଉକ୍ତ ସାଇଡିଂରୁ ତାଙ୍କ ବାଇକ୍‌ (ଓଆର ୨୩ବି ୯୨୯୮)ରେ ଫେରୁଥିବା ବେଳେ ତେଲେନପାଲି ମାର୍କେଟ ଟାୟାର ଦୋକାନ ଛକ ନିକଟରେ ଓପିଜିସି ତୃତୀୟ ଓ ଚତୁର୍ଥ ୟୁନିଟରେ କାର୍ଯ୍ୟ କରୁଥିବା ଭବାନୀ ଠିକା ସଂସ୍ଥାର ଏକ କାର (ଡବ୍ଲୁବି ୪୪୦ ୨୯୭୭) ଧକ୍କା ଦେଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ରକ୍ତ ଜମାଟ ବାନ୍ଧିଥିଲା। ତାଙ୍କୁ କଂପାନି କର୍ତୃପକ୍ଷ ପ୍ରଥମେ ଇବଥର୍ମାଲ ଡାକ୍ତରଖାନା ଏବଂ ପରେ ବୁର୍ଲା ନେଇ ମୁଣ୍ଡର ଅସ୍ତ୍ରୋପଚାର କରାଇ ୧ ମାସ ୧୨ ଦିନ ଚିକିତ୍ସା କରାଇଥିଲେ। ସେଠାରେ ଥିବା ବେଳେ ତାଙ୍କ ପିଚାରେ ଘା’ ହୋଇଯାଇଥିଲା। ଛୋଟ ଡାକ୍ତରଖାନାରେ ଏହାର ଡ୍ରେସିଂ କଲେ ବି ଠିକ ହୋଇଯିବ ବୋଲି କହି ବୁର୍ଲା ଡାକ୍ତରଖାନାରୁ ତାଙ୍କୁ ଛାଡ଼ି ଦେବାରୁ ତାଙ୍କୁ ଆଣି ପୁଣି ଇବଥର୍ମାଲ ଡାକ୍ତରଖାନାରେ ଭର୍ତ୍ତି କରାଗଲା।

ଗତ ୧୭ ତାରିଖରୁ ରଘୁମଣି ଏଠାରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଘଟିବାରୁ ତାଙ୍କୁ କୌଣସି ବଡ଼ ଡାକ୍ତରଖାନାକୁ ନେଇଯିବାକୁ ଡାକ୍ତର ପରାମର୍ଶ ଦେବାରୁ ରଘୁମଣି ପରିବାର ବର୍ଗଙ୍କ ଚିନ୍ତା ବଢ଼ିଗଲା। ଦୁଇ ମାସ ହେଲା ଘରର ରୋଜଗାରିଆ ବ୍ୟକ୍ତି ଏପରି ଅବସ୍ଥାରେ ପଡ଼ି ରହିବାରୁ ପରିବାର ଆର୍ଥିକ ଦୁର୍ଗତି ମଧ୍ୟରେ ଗତି କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ, ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ ସେତେବେଳଠୁ ଆଜି ଯାଏ ଠିକା ସଂସ୍ଥା କର୍ତୃପକ୍ଷଙ୍କ କଥାରେ ସ୍ଥାନୀୟ ପୁଲିସ ପାଖରେ ଦୁର୍ଘଟଣା ସଂପର୍କରେ କୌଣସି ଅଭିଯୋଗ କରି ନଥିଲେ।

ଠିକା ସଂସ୍ଥା ପକ୍ଷରୁ ମଧ୍ୟ ଆଜି ଯାଏ ରଘୁମଣିଙ୍କ ଚିକିତ୍ସା ଖର୍ଚ ବହନ କରାଯାଇଛି। ଆଜି ଯେତେବେଳେ ଅନ୍ୟତ୍ର ନେବା କଥା ଉଠିଲା ପରିବାର ଲୋକ ଦାବି କରିଥିଲେ ଯେ ଠିକା ସଂସ୍ଥା ତାଙ୍କ ପରିବାର ଚଳିବାକୁ ଖର୍ଚ ଦେଉ ଏବଂ ରଘୁମଣିଙ୍କୁ ଚିକିତ୍ସା କରିବାକୁ ବ୍ୟବସ୍ଥା କରୁ। ଏଭଳି ସ୍ଥିତିରେ ସକାଳୁ ସଂଧ୍ୟା ଯାଏ ଡାକ୍ତରଖାନା ପରିସରରେ ଉତ୍ତେଜନାର ବାତାବରଣ ରହିଥିଲା। ଖବର ପାଇ ବନହରପାଲି ଆଇଆଇସି ପୁରୁଷୋତ୍ତମ ଭୋଇ ଏବଂ ଅନ୍ୟ ଅଧିକାରୀ ପହଞ୍ଚିଥିଲେ। ବୁଝାସୁଝା କରିଥିଲେ। ପରିବାର ପକ୍ଷରୁ ଘଟଣା ସଂକ୍ରାନ୍ତରେ ଏକ ଏଫଆଇଆର ଦେବା ସହ ରଘୁମଣିଙ୍କୁ ବାହାରକୁ ଚିକିତ୍ସା ପାଇଁ ମଂଗିଥିଲେ। ଭବାନୀ ଠିକା ସଂସ୍ଥା ପକ୍ଷରୁ ରଘୁମଣିଙ୍କ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍‌ସ ଡାକ୍ତରଖାନା ନେବାକୁ ରାଜି ହୋଇଥିଲେ। ସଂଧ୍ୟା ୬ଟାରେ ରଘୁମଣିଙ୍କୁ ଇବଥର୍ମାଲ ଆମ୍ବୁଲାନ୍‌ସ ଯୋଗେ ଭୁବନେଶ୍ୱର ନିଆଯାଇଛି।

ସମ୍ବନ୍ଧିତ ଖବର