ଲାଞ୍ଜିଗଡ଼: ବେଦାନ୍ତ କମ୍ପାନି ଅଧୀନରେ ଅନେକ ଗୁଡ଼ିଏ ଛୋଟବଡ଼ କମ୍ପାନି କାମ କରୁଛନ୍ତି। ସେମାନେ ବାହାର ରାଜ୍ୟର ଲୋକଙ୍କୁ ଅଧିକ ଗୁରୁତ୍ୱ ଦେଇ ନିଯୁକ୍ତି ଦେଉଛନ୍ତି। ନିଜ ଗାଁରେ କମ୍ପାନିଗୁଡ଼ିକ ଥାଇ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦିଆଯାଉ ନଥିବାରୁ ଏହାର ପ୍ରତିବାଦରେ ଗୁରୁବାର ସେମାନେ ବେଦାନ୍ତ କାରଖାନାର ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନ କରିଥିଲେ। ଏଥିରେ ଲାଞ୍ଜିଗଡ଼ର ଯୁବକ, ଯୁବତୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକମାନେ ସାମିଲ ହୋଇଥିଲେ। ଲାଞ୍ଜିଗଡ଼ ଅଞ୍ଚଳରେ ଥିବା ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି, ଲାଞ୍ଜିଗଡ଼ର ଉନ୍ନତିମୂଳକ କାମ ଓ ବହୁ ଦିନରୁ ଅଧପନ୍ତରିଆ ହୋଇ ପଡ଼ିଥିବା ଜଗନ୍ନାଥ ମନ୍ଦିର ନିର୍ମାଣ କାମ ଶୀଘ୍ର ଶେଷ କରିବା ଆଦି ଦାବି କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସକାଳ ୭ଟାରୁ ଅଞ୍ଚଳବାସୀ ଏକଜୁଟ୍ ହୋଇ ବେଦାନ୍ତ ମୁଖ୍ୟ ଗେଟ୍ ଆଗରେ ବେଦାନ୍ତ କର୍ତ୍ତୃପକ୍ଷଙ୍କ ଆଗରେ ଦାବି ରଖିଥିଲେ। ବେଦାନ୍ତ କମ୍ପାନି ତରଫରୁ ମାନବ ସମ୍ବଳ ମୁଖ୍ୟ ମହେନ୍ଦ୍ର ରାଉତ, ଲୋକ ସମ୍ପର୍କ ମୁଖ୍ୟ ଶିବାନନ୍ଦ ମହାନ୍ତି, ସିଏସ୍ଆର ମୁଖ୍ୟ ଗୁରୁମିତ ସେହେରା ପ୍ରମୁଖ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ହେଲେ ଆନ୍ଦୋଳନକାରୀମାନେ ଏଲ୍ଏମ୍ସି ଚେୟାରମ୍ୟାନ ଜଳଜ ମାଲପାଣି ଓ ବେଦାନ୍ତ ପରିଚାଳନା ମୁଖ୍ୟ ବିମଳାନନ୍ଦ ସେନାପତି ଆସି ଆଲୋଚନା କରନ୍ତୁ ବୋଲି ଜିଦ୍ ଧରିଥିଲେ। ପରେ ଶ୍ରୀ ସେନାପତି ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିଥିଲେ।
ଏଲ୍ଏଣ୍ଡଟି କମ୍ପାନି କର୍ତ୍ତୃପକ୍ଷ, ବିଭିନ୍ନ ବିଭାଗର ଅଧିକାରୀ ଓ ଲାଞ୍ଜିଗଡ଼ର ବରିଷ୍ଠ ନାଗରିକମାନେ ବସି ୧୦ରୁ ୧୫ତାରିଖ ଭିତରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ଆନ୍ଦୋଳନରୁ ଓହରିଥିଲେ। ଏହି ଆନ୍ଦଳୋନ ଶ୍ରମିକ ସଂଘ ସଭାପତି ହିମାଦ୍ରି ପେସନିଆଙ୍କ ନେତୃତ୍ୱରେ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ବ୍ଲକ ଉପାଧ୍ୟକ୍ଷ ତୁଳସୀ ନାଏକ, ଲାଞ୍ଜିଗଡ଼ ସରପଞ୍ଚ ସୁଶ୍ରୀ ମଣି ମାଝୀ, ରାଜେନ୍ଦ୍ର ମାଳି, ଚାଞ୍ଚେର ମାଝୀ, ଏମ୍. ଚନ୍ଦ୍ରଶେଖର, ସୁମନ୍ତ ଦଳବେହେରା, ଯୁବକ ସଂଘ ସଭାପତି ବିନୋଦ ଗଉଡ଼, ସୁବାସ ନାଏକ ପ୍ରମୁଖ ସାମିଲ ଥିଲେ।