ଘୁ,ଉଦୟଗିରି ବିଧାନସଭା କ୍ଷେତ୍ର ବଦଳୁଛି ରାଜନୈତିକ ସମୀକରଣ, ନୂଆ ମୁହଁ ସନ୍ଧାନରେ ବିଜେଡି, ବିଜେପି

ଘୁ,ଉଦୟଗିରି: ତିନି ପ୍ରମୂଖ ଦଳ – କଂଗ୍ରେସ, ଭାଜପା ଓ ବିଜେଡି ୨୦୧୯ ନିର୍ବାଚନ ଗୁରୁତ୍ୱ ବହନ କରୁଥିବା ବେଳେ ନିର୍ବାଚନ ଯେତେ ପାଖେଇ ଆସୁଛି ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ସେତିକି ଜଟିଳ ହେବାରେ ଲାଗିଛି । କଂଗ୍ରେସ ଦଳର ଦୁର୍ଗ ଭାବେ ପରିଚିତ ଘୁ,ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନ ବୈତରଣୀ ପାର କରିବା ଏତେ ସହଜ ସାଧ୍ୟ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି ବର୍ତ୍ତମାନର ବିଧାୟକମାନଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରାଯିବ । ଏହି ନିଷ୍ପତ୍ତି ଯଦି କାର୍ଯ୍ୟକାରୀ ହୁଏ ତା’ହେଲେ ବର୍ତ୍ତମାନର ବିଧାୟକ ଯାକବ ପ୍ରଧାନ କଂଗ୍ରେସ ଦଳର ପ୍ରାର୍ଥୀ ହେବେ । ବର୍ତ୍ତମାନ କଂଗ୍ରେସ ଦଳର ସାଙ୍ଗଠନିକ ସ୍ଥିତି ସେଭଳି ମଜବୁତ ନଥିବା ଏବଂ ପୁରୁଣା କଂଗ୍ରେସ କର୍ମୀମାନେ ଦଳ ଠାରୁ ଦୂରେଇ ରହିଥିବା, ସେଭଳି କୌଣସି ଆଖି ଦୃଶିଆ ସାଙ୍ଗଠନିକ କାର୍ଯ୍ୟକ୍ରମ ହୋଇନଥିବା ବେଳେ ବର୍ତମାନର ବିଧାୟକ ଯାକବ ପ୍ରଧାନ ଦୀର୍ଘ ବର୍ଷ ଜିଲ୍ଲା ସଭାପତି ଭାବେ ଦାୟିତ୍ୱରେ ରହି ଦଳୀୟ ସଂଗଠନକୁ ଦୁର୍ବଳ କରିଦେଇଥିବା କିଛି ପୁରୁଣା କର୍ମୀମାନେ ମତ ଦେଇଛନ୍ତି । ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ଜାକବ ପ୍ରଧାନ କୌଣସି ଆଖି ଦୃଶିଆ କାର୍ଯ୍ୟ କରିନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଟିକାବାଲି, ରାଇକିଆ, ଘୁଉଦୟଗିରି ବ୍ଲକ ଏବଂ ଏନଏସି କୁ ନେଇ ଘୁ,ଉଦୟଗିରି ନିର୍ବାଚନ ମଣ୍ଡଳୀ। ଦାରିଙ୍ଗବାଡି ବ୍ଲକ ହେଉଛି କଂଗ୍ରେସ ଦଳର ଭୋଟ ବ୍ୟାଙ୍କ । ଯାକବଙ୍କ ଭରସା ଦାରିଙ୍ଗବାଡି । ନିଜ ଭୋଟ ବ୍ୟାଙ୍କକୁ ନେଇ ଯାକବ ଦୃଢ଼ମନା ଥିବା ବେଳେ କଂଗ୍ରେସ ଦଳରୁ ଟିକେଟ ପାଇଁ ଆହୁରି ବହୁ ନେତା ଲବିରେ ଅଛନ୍ତି। ଯେଉଁମାନେ ବର୍ତମାନ ନିର୍ବାଚନ ମଣ୍ଡଳୀରେ ବୁଲି ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ କରିବା ସହ ଦଳୀୟ କର୍ମୀଙ୍କୁ ନିଜ ଆଡକୁ ଟାଣୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ଦଳ କିଭଳି ଆଗାମୀ ନିର୍ବାଚନରେ ନିଜ ଗଡକୁ ସୁରକ୍ଷିତ ରଖିବ ତାହା ଦଳୀୟ ପ୍ରାର୍ଥୀ ଚୟନରୁ ଜଣାପଡିବ। ସେହିଭଳି ବିଜେଡି ଦଳ ଖୋଜୁଛି ନୂଆ ମୁହଁ । ବାରମ୍ବାର ପରାଜୟର ସ୍ୱାଦ ଚାଖିବା ପରେ କୌଣସି ରିସ୍କ ନେବାକୁ ଚାହୁଁନି ଦଳ। ଜଣେ ଉଚ୍ଚଶିକ୍ଷିତ ନିର୍ମଳ ଭାବମୂର୍ତି ସମ୍ପନ୍ନ ପ୍ରାର୍ଥୀ ଖୋଜୁଛି । ବିଶେଷ କରି ଜଣେ ମହିଳାକୁ ପ୍ରାର୍ଥୀ କରି ମହିଳା କାର୍ଡ଼ ଖେଳି ଚଳିତ ନିର୍ବାଚନ ଅନ୍ୟ ଦଳକୁ ମାତ ଦେବାକୁ ରଣ କୌଶଳ ଆରମ୍ଭ କରିଛି । ସାରା ରାଜ୍ୟରେ ନବୀନ କ୍ରେଜ ରହିଥିବା ବେଳେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ନବୀନ କ୍ରେଜ କାମ ନ କରିବା ଦଳୀୟ ନେତାଙ୍କୁ ଚିନ୍ତାରେ ପକାଇ ଦେଇଛି। କନ୍ଧମାଳ ଜିଲ୍ଲାର ବିଜେଡି ଦଳର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଅଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବରେ ଅଛନ୍ତି ବ୍ରହ୍ମପୁରର ଯୁବ ନେତା ବିକ୍ରମ ପଣ୍ଡା । ଏହି ଦୁଇ ନେତାଙ୍କ ଫୋକୋସରେ ଅଛି ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ । ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କିଏ ମନ୍ତ୍ରୀଙ୍କୁ ଧରୁଛି ତ କିଏ ତୃତୀୟ ମହଲାରେ ଚକ୍କର କାଟୁଛି, କିଏ ଭୁବନେଶ୍ୱରରେ ଘୁରି ବୁଲୁଛି କିଏ ମୋ ଟିକେଟ କରିଦେବ । ସମସ୍ତଙ୍କୁ ଗୋଟିଏ ଉତ୍ତର ମିଳୁଛି ଦଳ ପାଇଁ କାମ କର। ସଂଗଠନ କର। ବିଜେଡି ଦଳର ନେତାମାନେ ଦଳୀୟ ସଂଗଠନ ଅପେକ୍ଷା ନିର୍ବାଚନରେ ନବୀନଙ୍କ ନାଁ ରେ ଭୋଟ ପାଇବା ଆଶାରେ ଅଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମନେ ମତ ଦେଉଛନ୍ତି । ନେତୃତ୍ୱ ନେଲା ଭଳି ନେତାଙ୍କ ଅଭାବ ଯୋଗୁଁ ଏହି ନିର୍ବାଚନ ମଣ୍ଡଳୀ ରେ ବିଜେଡି ଦଳରେ ନିର୍ବାଚନ ସମୟରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିବା ସହ ଦଳୀୟ ପ୍ରାର୍ଥୀଙ୍କୁ ହରେଇବା କାମରେ ନିଜ ଦଳ ଲୋକ ଲାଗିପଡ଼ନ୍ତି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଗତ ନିର୍ବାଚନରେ। ବିଜେପି ଦଳ ପୁରା ଦମ ରେ ଲାଗିଛି ଆଗାମୀ ନିର୍ବାଚନ ନିମନ୍ତେ । ଥରେ ମାତ୍ର ୨୦୦୯ରେ ବିଜେପି ଏହି ଆସନ ଦଖଲ କରିଥିଲା। ସେଇ ଆଶାରେ ବିଜେପି ନିଜର ସବୁ ବଳ ଖଟେଇ ଚାଲିଛି। ବିଜୟ ନିଶ୍ଚିତ କରିବା ନିମନ୍ତେ ଗ୍ରାଉଣ୍ଡ ଜିରୋରେ ପହଂଚି ଗାଁ ଗାଁ ରେ ଦଳୀୟ କାର୍ଯ୍ୟକର୍ତା ଯୋଗାଡ଼ କରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି ଏହି ଦଳ। ଦିନ ରାତି ଏକ କରି ଦଳର ବିଭିନ୍ନ କାର୍ଯ୍ୟ କରୁଛନ୍ତି କିଛି ଆଶାୟୀ ଦଳୀୟ ପ୍ରାର୍ଥୀ । ଘୁ,ଉଦୟଗିରି ଏବଂ ରାଇକିଆ ବ୍ଲକ ରେ ଦଳର ସ୍ଥିତି ଭଲ ଥିବାବେଳେ ଦାରିଙ୍ଗବାଡି ବ୍ଲକକୁ ବିଜେପି ‌ଫୋକସ୍ କରି ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ବିଜେପିରୁ କିଏ ଟିକେଟ ପାଇବ କହିବା ମୁସ୍କିଲ। ହେଲେ ଦଳରେ ଦିନକୁ ଦିନ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ମୋଦି ମାନିଆରେ ଚାଲିଛି ବିଜେପି ରାଜନୀତି।

ସମ୍ବନ୍ଧିତ ଖବର