ବ୍ୟବଚ୍ଛେଦ ପାଇଁ ମାଟି ତଳୁ ବାହାର କରାଗଲା ଶବ:ରହସ୍ୟ ଘେରରେ ଦୁଷ୍ମନ୍ତଙ୍କ ମୃତ୍ୟୁ

ତେଲକୋଇ: ରହସ୍ୟ ଘେରରେ ତେଲକୋଇ ଥାନା କୁଲାଡେରା ଗ୍ରାମର ଦାସ ନାଏକଙ୍କ ପୁଅ ଦୁଷ୍ମନ୍ତ ମୃତ୍ୟୁ ଘଟଣା। ଦୁଷ୍ମନ୍ତ କାମ କରୁଥିବା ଠିକାସଂସ୍ଥାର କର୍ତ୍ତୃପକ୍ଷ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହୁଥିବା ବେ‌ଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ରହସ୍ୟ ଉପରୁ ପରଦା ହଟାଇବା ପାଇଁ ପୁଲିସ ଦୀର୍ଘ ୧୯ ଦିନ ପରେ ଆଜି ମାଟି ତଳୁ ଦୁଷ୍ମନ୍ତଙ୍କ ଶବ ବାହାର କରି ବ୍ୟବ‌ଚ୍ଛେଦ ପାଇଁ ପଠାଇଛି।
ଗତ ୨୬ ତାରିଖରେ ବାଇକ ଦୁର୍ଘଟଣାରେ ଦୁଷ୍ମନ୍ତର ମୃତ୍ୟୁ ଘଟିଥିବା ନେଇ ଫୋନ ଯୋଗେ ଠିକାସଂସ୍ଥା କର୍ତ୍ତୃପକ୍ଷ ଘରକୁ ଖବର ଦେଇଥିଲେ। ଶବ ଆଣି ଘରେ ଦେଇ ଯାଇଥିଲେ। ପରିବାର ଲୋକେ ଦୁଷ୍ମନ୍ତଙ୍କ ଶବକୁ ପୋତି ଦେଇଥିଲେ। ପରେ ଠିକାସଂସ୍ଥା କର୍ମଚାରୀ ଓ ସହଯୋଗୀଙ୍କ କଥାରେ ତାଳମେଳ ନରହିବାରୁ ପୁଅକୁ ହତ୍ୟା କରାଯାଇଛି ପରିବାର ଲୋକେ ସନ୍ଦେହ କରିଥି‌ଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ। ମାଟି ତଳୁ ଶବ ବାହାର କରି ବ୍ୟବଚ୍ଛେଦ କରିବାକୁ ଦାବି କରିଥିଲେ। ଏନେଇ ପଣ୍ଡାପଡା ଥାନାରେ କେସ୍‌ ନଂ ୧୨/୧୯ ଏକ ରୁଜୁ ହୋଇଥିଲା।
ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋତା ଯାଇଥିବା ଶବକୁ ବ୍ୟବଚ୍ଛେଦ ପାଇଁ ବାହାର କରାଯାଇଥିଲା। ତେଲକୋଇ ତହସିଲଦାର ଅଶ୍ବିନୀ କୁମାର ନାଏକ, ପଣ୍ଡାପଡ଼ା ଥାନାଧିକାରୀ ରଂଜୁ ହାସିନୀ କୁଲୁ ,ଏଏସ୍‌ଆଇ କିସୁନ ମାଝୀ, ସନ୍ତୋଷ ପ୍ରଧାନ, ତେଲକୋଇ ଥାନା ଏଏସ୍‌ଆଇ ମଧୁସୂଦନ ସୁଆରୀ, ବ୍ଲକ ଅଧ୍ୟକ୍ଷା ମମତା ଦେହୁରୀ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବାଇକ ନୁହେଁ ଟ୍ରାକ୍ଟର ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥାଏ ପାରେ ବୋଲି ଥାନାଧିକାରୀ ରଂଜୁ ହାସିନୀ କୁଲୁ କହିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି। ମୃତ ଦୁଷ୍ମନ୍ତ ଜଣେ ଆଦିବାସୀ ନାବାଳକ। ତାଙ୍କୁ ବେଆଇନ ଭାବେ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଥିବା ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବ୍ଲକ ଅଧ୍ୟକ୍ଷା ମମତା ଦେହୁରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର