ମୁକୁଳିଲେ ମନ୍ତ୍ରୀ ପୁଅ:ଲାଇଟ୍‌ ଲିଭାଇ ଜେଲ୍‌ରୁ ବାହାରିଲେ

ଜେଲ୍‌ ଭିତର ଫାଟକ ପାଖରେ ଲାଗିଲା ୪ ଗାଡ଼ି

କେନ୍ଦୁଝର: ଶେଷରେ ଜେଲ୍‌ରୁ ମୁକୁଳିଲେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ। ଦୀର୍ଘ ଦୁଇ ମାସ ୧୬ ଦିନ ପରେ ସନ୍ଧ୍ୟା ୫ଟା ୪୫ ମିନିଟ୍‌ ସମୟରେ କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକୁଳିଥିଲେ। ଜେଲ୍‌ରୁ ବାହାରିବା ବେଳେ ଆଲୋକ ଲିଭାଇ ଦିଆଯାଇଥିଲା ଏବ˚ ସେହି ପାଖରେ ଏକକାଳୀନ ୪ଟି ଗାଡି ଲଗାଇ ରଖା ଯାଇଥିଲା। ସେ ଜେଲ୍‌ରୁ ବାହାରିବା କ୍ଷଣି ତାଙ୍କୁ ଗାଡି ଭିତରେ ବସାଇ ସମର୍ଥକମାନେ ନେଇ ଯାଇଥିଲେ।
ଗତକାଲି ହାଇକୋର୍ଟ ଦେବାଶିଷ ପାତ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ବିଚାରପତି କହିଥିଲେ। ଏହାପରେ  ଅପରାହ୍‌ଣରେ ଜିଲ୍ଲା ଦୌରାଜଜ୍‌ ଲକ୍ଷ୍ମୀଧର ବିଶ୍ବାଳଙ୍କ କୋର୍ଟରେ ଦୁଇ ଜଣ ଜାମିନଦାର ଏବ˚ ୨୫ ହଜାର ଟଙ୍କା ପଇଠ କରା ଯାଇଥିଲା । ଅପରାହ୍ନ ୫ ଟାରେ କୋର୍ଟରୁ କେନ୍ଦୁଝର ଜିଲ୍ଲା କାରାଗାରକୁ ଯାଇଥିଲା ରିଲିଜ୍‌ ଅର୍ଡର।
ରିଲିଜ୍‌ ଅର୍ଡର ପହଞ୍ଚିବା ବେଳକୁ ସେଠାରେ ଶତାଧିକ ବିଜେଡି ସମର୍ଥକ ଉପସ୍ଥିତ ଥିଲେ। ସନ୍ଧ୍ୟା ୫ଟା୪୫ ମିନିଟ୍‌ ବେଳକୁ ଜେଲ୍‌ରୁ ମୁକୁଳିଥିଲେ ଦେବାଶିଷ ପାତ୍ର। ତେବେ ଜେଲ୍‌ରୁ ମୁକୁଳିବା ବେଳେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ ଜେଲ୍‌ର ମୁଖ୍ୟ ଫାଟକ ବନ୍ଦ କରି ଦିଅାଯାଇଥିବା ବେଳେ କୌଣସି ଚାରି ଚକିଆ ଗାଡି ଜେଲ୍‌ କ୍ୟାମ୍ପସ୍‌ ଭିତରକୁ ଛଡା ଯାଉ ନ ଥିଲା। କିନ୍ତୁ କୌଣସି ଏକ ନିର୍ଦ୍ଦିଷ୍ଟ ଟେଲିଫୋନ୍‌ ପାଇବା ପରେ ଜେଲ୍‌ କ୍ୟାମ୍ପସକୁ ୪ଟି ଏସ୍‌ୟୁଭି ଛାଡି ଦିଆଯାଇଥିଲା। ଏହି ଚାରିଟି ଗାଡି ଜେଲ୍‌ର ଭିତର ଫାଟକ ପାଖରେ ରହିଥିଲା। ମୁକୁଳିବାର ୨ମିନିଟ୍‌ ପୂର୍ବରୁ ଜେଲ ଭିତର ଫାଟକ ପାଖରେ ଥିବା ଆଲୋକକୁ ଲିଭାଇ ଦିଆଯାଇଥିଲା। ଏହାପରେ ସେଠାରେ ଉପସ୍ଥିତ ପାଖାପାଖି ୫୦ ସମର୍ଥକ ତାଙ୍କୁ ଘେରାବନ୍ଦୀ କରି ଗାଡିରେ ବସାଇ ନେଇ ଯାଇଥିଲେ। ତେବେ ଦେବାଶିଷଙ୍କ ସମେତ  ଅନ୍ୟମାନଙ୍କ ମଧୢରେ ଅକ୍ଷୟ ସାହୁ, ଆଶିଷ ବେହେରା, ଅଜୟ ସାହୁ, ନିରଞ୍ଜନ ସାହୁ ମଧ୍ୟ ଜେଲ୍‌ରୁ ମୁକୁଳିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୬ ତାରିଖରେ ଘସିପୁରା ବସଷ୍ଟାଣ୍ଡରେ ପୂର୍ବତନ ପୌର ଉପାଧୢକ୍ଷ ସୁରେଶ ସାହୁଙ୍କ ଉପରେ ଆକ୍ରମଣ ମାମଲାରେ ଦେବାଶିଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହିଦିନ ଶୈଲଙ୍ଗ ଛକରେ କେତେକ ଦଳିତ ଯୁବକଙ୍କୁ ଆକ୍ରମଣ ଘଟଣାରେ ମଧୢ ଦେବାଶିଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହିପରି ଗତ ସେପ୍ଟେମ୍ବର ୧୮ ତାରିଖରେ ପୁଲିସକୁ ଆକ୍ରମଣ ଘଟଣାରେ ମଧୢ ତାଙ୍କ ନାମରେ ମାମଲା ଥିଲା। ଏବଂ ଶେଷରେ ମନ୍ତ୍ରୀଙ୍କ ପୁଅଙ୍କୁ ପୁଲିସ ଉଠାଇନେଇଥିଲା, ଯାହା ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଖାଲି ସେତିକି ନୁହେଁ ମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର