ବଜ୍ରପାତରେ ୬୦ରୁ ଅଧିକ ଗୋରୁ-ଛେଳି-ମେଣ୍ଢା ମୃତ, ୨ ଜଣ ଲୋକ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ପଞ୍ଚାୟତ କଙ୍କଣହାର ଗାଁରେ ଶୁକ୍ରବାର ସନ୍ଧ୍ୟାରେ ବଜ୍ରପାତ ହେବାରୁ ୬୦ରୁ ଅଧିକ ଗୋରୁ, ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭାଟପଡ଼ା ଗ୍ରାମରେ ଆଜି ସନ୍ଧ୍ୟା ୫ଟାରେ ବଜ୍ରପାତ ହେବାରୁ ସୁରେଶ ଭୂୟାଁଙ୍କର ୪୩ଟା ଛେଳି, ୧ଟି ମେଣ୍ଢା ଏବଂ ୪ଟା ଗାଈ ଓ ଅରଣ୍ୟ ମାର୍ଥାଙ୍କର ୨ଟା ଗାଈ ମୃତ୍ୟୁ ହୋଇଛି। ବଜ୍ରପାତ ବେଳେ ଗୋଟିଏ ବାଛୁରୀ ଜନ୍ମ ହୋଇଛି।
ଗୋରୁ ଚରାଇ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ସୁରେଶ ଓ ଅରଣ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ଖୋର୍ଦ୍ଧା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସୁରେଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ବଜ୍ରପାତ ପରେ ପ୍ରବଳ ବର୍ଷା ହେବାରୁ ଖୋର୍ଦ୍ଧାରେ ୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରୋବରହ ବନ୍ଦ ଥିଲା। ସେହିଭଳି ତୋଟାପଡ଼ା ଠାରେ ବଜ୍ରପାତ ଯୋଗୁଁ ସିରୋମଣୀ ସିଂ ନାମରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର