ଡକରୀ ଘାଟିରେ ଅଟୋ-ପିକ୍‌ଅପ ମୁହାଁମୁହିଁ, ମହିଳା ମୃତ

ବୈପାରିଗୁଡା: ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପୀଠକୁ ଯାଇଥିବା ରାସ୍ତାର ଡକରୀ ଘାଟିରେ ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ଅନୁସାରେ, ଆଜି ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ୮ ଜଣ ମହିଳା ଓ ପୁରୁଷ ଏକ ଅଟୋରେ ଯାଉଥିଲେ। ତେବେ ଡକରୀ ଘାଟି ଓହ୍ଲାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଅଟୋରେ ବସିଥିବା ଜଣେ ମହିଳା ମୃତ୍ୟୁବରଣ କରିଥିଲେ। ସ୍ଥାନୀୟ ଲୋକ ଗରୁତର ଆହତଙ୍କୁ ଉଦ୍ଧାର କରି ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ। ଏହି ସମସ୍ତଙ୍କ ଘର କୋଟପାଡ ବ୍ଲକ ପଠାଣଗୁଡା ଗାଁ ର ହୋଇଥିବା ବେଳେ ମୃତ ମହିଳା ଲାଲି ଜାନୀ (୩୫) ବୋଲି ଜଣାପଡିଛି। ତେବେ ବୈପାରିଗୁଡା ପୁଲିସକୁ ପଚାରିବାରୁ ଏ ସଂପର୍କରେ କୌଣସି ଖବର ନଥିବା ପ୍ରକାଶ କରିଛି।

ସମ୍ବନ୍ଧିତ ଖବର