ଚାରାଡ଼ା ଡକାୟତି ଘଟଣାରେ ୪ ଗିରଫ

ଲକ୍ଷ୍ମୀପୁର/ କାକିରିଗୁମ୍ମା: ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଚାରାଡା ଗ୍ରାମରେ ଡକାୟତି ଘଟଣାରେ କାକିରିଗୁମ୍ମା ପୁଲିସ ୪ଜଣଙ୍କୁ ଗିରଫ କରିଛିି। ତେବେ ଘଟଣାର କିଙ୍ଗପିନ୍‌ଙ୍କ ସମେତ ୪ଜଣ ଫେରାର ଥିବା ଲକ୍ଷ୍ମୀପୁର ଏସଡିପିଓ ହେମନ୍ତ କୁମାର ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ରେଭେନ୍ୟୁ କଲୋନିର ମୁନା ଓରଫ ରାମଚନ୍ଦ୍ର ଗରଡା, ଫୁଲଧର ଗରଡା, ଟୁଲୁ ଖୋସ୍ଲା ଓ ଗୁଜୁରାଟ କଲୋନିର ସଞ୍ଜୟ କୁମାର ବିଶ୍ୱାସ। ପୁଲିସ ଦେଇଥିବା ସୂଚନା ମୁତାବକ ଗତ ଡିସେମ୍ବର ୪ତାରିଖ ରାତିରେ ୮ଜଣ ଦୁର୍ବୃତ୍ତ ଚାରାଡା ଗାଁର ଧ୍ରୁବଚରଣ ବିଷୋୟୀଙ୍କ ଘରେ ପଶି ବିଭିନ୍ନ ମାରଣାସ୍ତ୍ର ଦେଖାଇ ପ୍ରାୟ ୧୦ ଭରି ସୁନା ଓ ୨ ଲକ୍ଷରୁ ଊର୍ଧ୍ୱ ଟଙ୍କା ସମେତ ବିଭିନ୍ନ ଜିନିଷ ପତ୍ର ଲୁଟି ନେଇଥିଲେ। ଏହାସହ ବାପ ପୁଅକୁ ଅପହରଣ କରି ଦଶମନ୍ତପୁର ବ୍ଲକ ନିକଟରେ ଛାଡି ଚାଲିଯାଇଥିଲେ। ଦୁର୍ବୃତ୍ତମାନେ ନକ୍ସଲ ବୋଲି ପରିଚୟ ଦେଇ ଲୁଟ୍‌ କରିଥିଲେ। ଏନେଇ କାକିରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ମାମଲା ରୁଜୁ କରୁ ତଦନ୍ତ କରୁଥିଲା। ତଦନ୍ତକାରୀ ଅଫିସର ନିରୋଦ କୁମାର ମଲ୍ଲିକ ବିଶେଷ ସୂତ୍ରରୁ ଖବର ପାଇ ଜୟପୁର ରେଭେନ୍ୟୁ କଲୋନିରେ ଚଢାଉ କରି ପ୍ରଥମେ ଦୁଇଭାଇ ରାମଚନ୍ଦ୍ର ଓ ଫୁଲଧରଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲେ। ଘଟଣାରେ ୮ଜଣ ସଂପୃକ୍ତ ଥିବା ଜାଣିବାକୁ ପାଇଥିବା ବେଳେ ପରେ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଦୁଇଟି ଛୁରି ଓ ୨ ହଜାର ଟଙ୍କା ଜବତ କରିଥିଲା। ଖବର ମୁତାବକ ଗତ ନଭେମ୍ବର ମାସ ୬ ତାରିଖ ଦିନ ଘର ମାଲିକ ଧ୍ରୁବଚରଣଙ୍କ ଭାଇ ଜୟପୁର ନିକଟସ୍ଥ କଙ୍ଗା ଗାଁରେ ଥିବା ଶଶୁର ଘରକୁ ଯାଇଥିଲେ। ସେଠାରୁ କଙ୍ଗାଗାଁର ଏକ ବଲେରୋ ଭଡା କରି ଚାରାଡା ଆସିଥିଲେ। ଗାଁରେ ଡ୍ରାଇଭରଙ୍କ ସମ୍ମୁଖରେ ନିଜ ସଂପର୍କୀୟଙ୍କୁ ତାଙ୍କ ଚଳଣି ବିଷୟ ବଖାଣିବା ସହ ବ୍ୟବସାୟ ଓ ସଂପତ୍ତି ବିଷୟରେ ଅବଗତ କରାଇଥିଲେ। ଡ୍ରାଇଭର ଜଣକ ସମସ୍ତ ବିଷୟ ଶୁଣିବା ପରେ କଙ୍ଗା ଅଞ୍ଚଳର ଓ ଜୟପୁରର କିଛି ଦୁର୍ବୃତ୍ତଙ୍କ ସହାୟତା ନେଇ ଡିସେମ୍ବର ୪ତାରିଖ ରାତିରେ ଡକାୟତି କରିଥିବା ପୁଲିସ ତଦନ୍ତ ବେଳେ ଜାଣିପାରିଛି। ଘଟଣାରେ କଙ୍ଗା ଗାଁର ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣ ଫେରାର ଥିବା ବେଳେ ଯଥାଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ଗିରଫ ୪ଜଣଙ୍କୁ ଦଫା ୩୯୫, ୪୫୦ ଓ ୨୫ଆର୍ମସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡକାୟତି ଘଟଣାରେ ସଂପୃକ୍ତ ଥିବାରୁ ଅନ୍ୟ ଥାନା ଅଧିକାରୀ ରିମାଣ୍ଡରେ ନେବା ସମ୍ଭାବନା ରହିଥିବା ଏସଡିପିଓ କହିଛନ୍ତି।

ସମ୍ବନ୍ଧିତ ଖବର